କନକ ବ୍ୟୁରୋ : ଉତ୍ତରାଖଣ୍ଡର ଏକ ଜିପ୍ସି ଡ୍ରାଇଭର ବାଘକୁ ଚିଡାଇବା ଅଭିଯୋଗରେ ଗିରଫ ହୋଇଛନ୍ତି । ଡ୍ରାଇଭର ଜଣକ ବାଘକୁ ବିରକ୍ତ କରୁଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ପୋଲିସ ଏହି ଭିଡ଼ିଓର ଖୋଳତାଡ କରିବା ପରେ ଡ୍ରାଇଭରଙ୍କୁ ଗିରଫ କରିଛି । ଏହି ଘଟଣା ବୁଧବାର ଜିମ୍ କର୍ବାଟ ଜାତୀୟ ଉଦ୍ୟାନ ଭିତରେ ଘଟିଥିଲା । ଭାଇରାଲ ଭିଡ଼ିଓରେ ବାଘଟି ବଣ ଭିତରୁ ଉତକ୍ଷିପ୍ତ ହୋଇ ବାହାରୁଥିବାର ଦେଖିବାକୁ ମିଳିଥିଲା ।

Advertisment

ବନ୍ୟପ୍ରାଣୀ ସଂରକ୍ଷଣ ଅଧିନିୟମ ଭାଙ୍ଗିବା ଅଭିଯୋଗରେ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ । ବାଘଟି ଜିପ୍ସି ପାଖକୁ ଆସୁଥିବାର ଦେଖି ଡ୍ରାଇଭର ଜଣକ ଚିଲ୍ଲାଇଥିଲେ । ସାଥୀରେ ଥିବା ଅନ୍ୟ ପର୍ଯ୍ୟଟକ ଗାଡି ଆଗକୁ ନେବାକୁ କହୁଥିଲେ ମଧ୍ୟ ଡ୍ରାଇଭର ଜଣକ ଏହାକୁ ନ ଶୁଣି ବାଘ ଉପରେ ଚିଲ୍ଲାଇବାରେ ଲାଗିଥିଲେ । ଆଉ ଡ୍ରାଇଭର ଜଣକ ଏଭଳି ଚିଲ୍ଲାଇବା କାରଣରୁ ବାଘକୁ ମଧ୍ୟ ଅଧିକ କ୍ରୋଧିତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏପରିକି ବାଘଟି ମଧ୍ୟ ଗାଡିର କିଛି ବାଟ ପିଛା କରିଥିଲା । ପରବର୍ତ୍ତୀ ସମୟରେ ବାଘଟି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା ।

ତେବେ ଭିଡ଼ିଓ ଭାଇରାଲ ହେବା ପରେ ପର୍ଯ୍ୟଟକ ଓ ଡ୍ରାଇଭର ମାନେ ବନ୍ୟପ୍ରାଣୀ ନିୟମ ପାଳନ କରୁନଥିବା ନେଇ ସୋସିଆଲ ମିଡ଼ିଆରେ ୟୁଜର୍ସ ବର୍ଷିଥିଲେ । କିଛି ୟୁଜର୍ସ କହିଥିଲେ ଜାତୀୟ ଉଦ୍ୟାନ ଭିତରେ ସଫାରୀ ସଂଖ୍ୟା ହ୍ରାସ କରାଯାଉ ।