ନିର୍ଭୟାକାଣ୍ଡ ଭଳି କଟକରେ କାଳରାତିର ଛାତିଥରା କାହାଣୀ: ଚଳନ୍ତା ବସରୁ ଅଳ୍ପକେ ବର୍ତିଗଲେ ନାବାଳିକା

697

କନକ ବ୍ୟୁରୋ: କଟକ ଲିଙ୍କ ରୋଡରେ ଚଳନ୍ତା ବସରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣା ଚାଂଚାଲ୍ୟ ଖେଳାଇ ଦେଇଛି । ଏନେଇ ବାଦାମବାଡି ଥାନାରେ ପିଡିତାଙ୍କ ପିତା ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି ।

୧୦ ବର୍ଷ ତଳେ ଦିଲ୍ଲୀର ନିର୍ଭୟାକାଣ୍ଡର ବିଭିଷାକା ଏଯାଏଁ କାହା ମନରୁ ଲିଭି ନଥିବା ବେଳେ କଟକରେ ଚଳନ୍ତା ବସରେ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହଇଚଇ ସୃଷ୍ଟି କରିଛି । ଉପସ୍ଥିତ ବୁଦ୍ଧି ଖଟାଇ ନାବାଳିକା ଜଣକ ଅଳ୍ପକେ ପିଶାଚମାନଙ୍କ କବଳରୁ ଖସି ଯାଇଛନ୍ତି ।

ଶୂନଶାନ ପଡିଥାଏ ଲିଙ୍କ୍ ରୋଡ । ଝାଞ୍ଜରିମଙ୍ଗଳା ମନ୍ଦିର ଯିବା ପାଇଁ ଲିଙ୍କ ରୋଡରେ ବାପାକୁ ଅପେକ୍ଷା କରିଥିଲେ ନାବାଳିକା । ସେହିବାଟ ଦେଇ ଯାଉଥିଲା ଅନୁୁଗୁଳରୁ କଟକ ଯାତାୟତ କରୁଥିବା ମହାନ୍ତି ବସ । ଗାଡିର ନମ୍ବର ହେଉଛି ଓଆର-୦୫-ଏଜେ-୨୨୭୪ । ରାସ୍ତାରେ ଏକାଲା ନାବାଳିକାକୁ ଦେଖି, ବସ ଭିତରକୁ ଭିଡି ନେଇଥିଲା ବସର କଣ୍ଡକ୍ଟର । ବସ ଭିତରେ କେହିନଥିବାର ସୁଯୋଗ ନେଇ ନାବାଳିକାକୁ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରି ଦୁଷ୍କର୍ମ ଉଦ୍ୟମ କରିଥିଲା ଦୁର୍ବୃତ । କୌଶଳକ୍ରମେ ନାବାଳିକା ଜଣକ ବସରୁ ଡେଇଁପଡି ପିଶାଚଙ୍କ କବଳରୁ ଅଳ୍ପକେ ବର୍ତି ଯାଇଛନ୍ତି । ବାଦାମବାଡି ଥାନାରେ ଏଭଳି ଅଭିଯୋଗ କଟକରେ ଚାଂଚଲ୍ୟ ଖେଲାଇ ଦେଇଛି ।

ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ବସକୁ ନେଇ ଡ୍ରାଇଭର ଓ କଣ୍ଟକ୍ଟର ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଏନେଇ ବାଦାମବାଡି ଥାନାରେ ପିଡିତାଙ୍କ ପିତା ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଛି । ସେପଟେ କଣ୍ଡକ୍ଟର ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ଘଟଣା ସଂପର୍କରେ କଟକ ଡିସିପି ସୂଚନା ଦେଇ କହିଛନ୍ତି, ଏଭଳି ଏକ ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତଙ୍କୁ ଖୋଜା ଚାଲିଛି । ଘଟଣାର ସବୁ ଦିଗକୁ ନଜର ଦିଆଯିବ । କୌଣସି ପରିସ୍ଥିତିରେ ନାବାଳିକାଙ୍କ ପ୍ରତି ଅତ୍ୟାଚାର ଅଭିଯୋଗ ଯଦି ପ୍ରମାଣିତ ହୁଏ । ତେବେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।