କନକ ବ୍ୟୁରୋ : ଶୋଷ ମେଂଟାଉଛି ଚୁଆ ପାଣି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ପୁରୁଣା ଲମତାପୁଟ ଗାଁର ଲୋକ ମାନେ ପିଇବା ପାଣି ପାଇଁ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି । ଗାଁରେ ୨୦୦ରୁ ଉଦ୍ଧ୍ୱର୍ ପରିବାର ରହୁଥିବା ବେଳେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ଜନପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

Advertisment

ଗାଁରେ ୪ଟି ନଳକୂପ ସହିତ ଗୋଟିଏ ସୋଲାର ପ୍ରକଳ୍ପ ରହିଛି । ୩ଟି ନଳକୂପରୁ ଗୋଳିଆ ପାଣି ବାହାରୁଥିବା ବେଳେ ଆଉ ଗୋଟିଏ ନଳକୂପରୁ ବାହାରୁଥିବା ପାଣି ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ । ସୋଲାର ପ୍ରକଳ୍ପ ନିକଟରେ ରହିଥିବା ନଳକୂପରୁ ମଟର ଯୋଗେ ଉଠାଉଥିବା ପାଣି ମଧ୍ୟ ଗୋଳିଆ ବାହାରୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଖାଲି ପୁରୁଣା ଲମତାପୁଟ ନୁହେଁ ବ୍ଲକ କଲୋନୀ, ମେଡିକାଲ କଲୋନୀ, ବାମୁଣିପୁଟରେ ସମାନ ଅବସ୍ଥା ଦେଖିବାକୁ ମିିଳିଛି । ତେଣୁ ତୁରନ୍ତ ଲୋକଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।