କନକ ବ୍ୟୁରୋ : ଯେଉଁ ଜିଲ୍ଲାର ଖଣିରୁ କୋଟି କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି ରାଜ୍ୟ ସରକାର ସେଇ ଜିଲ୍ଲାର ଲୋକଙ୍କୁ ମିଳୁନି ଶୁଦ୍ଧ ପିଇବା ପାଣି । ଖରା ଦିନ ଭଳି ବର୍ଷା ଦିନେ ବି ଜଳଯନ୍ତ୍ରଣା ଭୋଗୁଛନ୍ତି ଖଣି ଅଂଚଳବାସୀ । ଗାଁରେ ଥିବା ନଳକୂପ ପାଣି ପିଇବା ଯୋଗ୍ୟ ହେଉନଥିବାରୁ ଚୁଆ ପାଣି ପିଇ ବଂଚିଛି ଜୀବନ । ପାନୀୟ ଜଳ ସମସ୍ୟାର ଏହି ଖବର ଆସିଛି କେନ୍ଦୁଝର ଯୋଡା ବ୍ଲକ ଅନ୍ତର୍ଗତ ସୋୟୋବାଲି ଗାଁର ୮ ନମ୍ବର ୱାର୍ଡରୁ ।

Advertisment

ସେରଣ୍ଡା ପଂଚାୟତ ସୋୟାବାଲି ଗାଁର ୮ ନମ୍ବର ୱାର୍ଡରେ ଲୋକଙ୍କ ପିଇବା ପାଣି ଯୋଗାଇବା ପାଇଁ ଗୋଟିଏ ବୋଲି ନଳକୂପ ରହିଛି । ହେଲେ ସେଥିରୁ ଗୋଳିଆ ପାଣି ବାହାରୁଥିବାରୁ ଲୋକମାନେ ଗାଁ ନିକଟ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି । ସେଥିରେ ରୋଷେଇ ବାସ କରି ଖାଇବା ସହ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ଫଳରେ ବିଭିନ୍ନ ପ୍ରକାର ରୋଗବ୍ୟାଧିର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ।

ଗାଁରେ ଉପୁଜିଥିବା ଜଳ ସମସ୍ୟା ବାବଦରେ ସ୍ଥାନୀୟ ସରପଂଚ ଓ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳିନାହିଁ । ତେଣୁ କେବେ ସ୍ଥାନୀୟ ଲୋକ ପ୍ରତିନିଧି ଓ ସରକାରୀ ବାବୁ ସୋୟାବାଲି ଗାଁର ଜଳାଭାବ ଦୂର କରିବେ ତା’କୁ ହିଁ ଅପେକ୍ଷା ।