କନକ ବ୍ୟୁରୋ : ପାଣି ଜୀବନର ମୂଳ ଉତ୍ସ । ବଂଚିବା ପାଇଁ ପାଣିର କୌଣସି ବିକଳ୍ପ ନାହିଁ । ହେଲେ ଆମ ରାଜ୍ୟର ଅନେକ ଅଂଚଳରେ ପାଣି ପାଇଁ ଲୋକେ ନାକେଦମ୍ ହେଉଛନ୍ତି । ଉପାନ୍ତରୁ ଉପକୂଳ ସବୁଠି ରହିଛି ଜଳ ସମସ୍ୟା । ଖରାଦିନେ ବା ଗ୍ରୀଷ୍ମ ଋତୁ ନୁହେଁ, ଶୀତ ଦିନେ ବି ଲୋକମାନେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପାଣି ସଂଗ୍ରହ କରିବା ପାଇଁ ଗୋଟିଏ ନଳକୂପ ପାଖରେ ଭିଡ ଲଗାଉଛନ୍ତି । ହେଲେ ସେହି ନଳକୂପରୁ ବାହାରୁଛି ଗୋଳିଆ ପାଣି । ଯାହାକୁ ଦେଖିଲେ, ସ୍ପଷ୍ଟ ଭାବେ ଜଣାପଡୁଛି, ଏହା ବ୍ୟବହାର ଉପଯୋଗୀ ନୁହେଁ । ତଥାପି ସେହି ପାଣିକୁ ବୋହି ନେବା ପାଇଁ ମହିଳାଙ୍କ ଭିଡ ଲାଗୁଛି । ଶୀତ ଦିନେ ଜଳଯନ୍ତ୍ରଣା ଭୋଗୁଛନ୍ତି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲକ୍ଷ୍ମୀପୁର କଲୋନୀ ବାସିନ୍ଦା ।
ଗାଁରେ ବର୍ଷ ବର୍ଷ ଧରି ପାଣି ସମସ୍ୟା ଲାଗି ରହିଛି । ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଏହି କଲୋନୀରେ ୮୦ ପରିବାର ଗୋଳିଆ ପାଣିକୁ ବ୍ୟବହାର କରୁଛନ୍ତି । ୪ ଶହ ଲୋକ ଜଳକଷ୍ଟ ଭୋଗୁଥିବା ବେଳେ ସମାଧାନ ହୋଇପାରୁନାହିଁ । ୨୦୧୨ ମସିହାରୁ ଗାଁରେ ଏକ ନଳକୂପ ଖୋଳି ମଟର ଯୋଗେ ପାଣି ଉଠାଇ ଟ୍ୟାପ ମାଧ୍ୟମରେ ଯୋଗାଇ ଦିଆଯାଉଥିଲା । ମାତ୍ର କିଛି ଦିନ ଜଳ ଯୋଗାଣ ପରେ ତାହା ଅଚଳ ହୋଇଯିବାରୁ ପାଣି ପାଇଁ ମହିଳାଙ୍କ ସଂଘର୍ଷ କରିବାକୁ ପଡୁଛି । ଏନେଇ ପ୍ରଶାସନକୁ ବାରମ୍ବାର ଜଣାଇଲେ ବି କେହି ଶୁଣୁନାହାନ୍ତି । ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଗାଁରେ ଥିବା ଜଳ ସମସ୍ୟାର ସମାଧାନ ହେଉନାହିଁ । ଲୋକମାନେ ଗୋଳିଆ ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି । ତେଣୁ ଆଗାମୀ ଦିନରେ ଜଳ ସମସ୍ୟାର ସମାଧାନ କରାନଗଲେ, ଲୋକେ ଆସନ୍ତା ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଖୁବଶୀଘ୍ର ଗାଁରେ ଜଳ ସମସ୍ୟା ଦୂର କରିବା ପାଇଁ ଗାଁଲୋକ ଦାବି କରିଛନ୍ତି ।