କନକ ବ୍ୟୁରୋ : ପାଣି ପାଇଁ ଭୋଟ୍ ବର୍ଜନ ଚେତାବନୀ ଦେଲେ ଅସ୍ତରଙ୍ଗ ନଟରା ଗାଁର ବାସିନ୍ଦା । ଗାଁରେ ଥିବା ନଳକୂଅରୁ ଆଇରନ୍ ଯୁକ୍ତ ହଳଦିଆ ପାଣି ବାହାରୁଥିବାରୁ ତାହା ପିଇବା ଅନୁପଯୋଗୀ । ତେଣୁ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ୪୦ ପରିବାର । ବାଧ୍ୟ ହୋଇ ଗାଁ ଠାରୁ ୫ ଶହ ମିଟର ଦୂରରେ ଥିବା ଏକ ନଳକୂପରୁ ପାଣି ଆଣି ପିଉଛନ୍ତି ଗ୍ରାମବାସୀ । ଲୋକମାନଙ୍କର ଏହି ସମସ୍ୟା ଦିନେ କି ଦୁଇ ଦିନର ନୁହେଁ । ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଭୋଗୁଛନ୍ତି ନଟରା ଗାଁର ଲୋକ ।

Advertisment

ଅସ୍ତରଙ୍ଗ ବ୍ଲକ କୋରଣା ପଂଚାୟତରେ ବସୁୁଧା ଯୋଜନାରେ ଦୁଇଟି ଓଭର ହେଡ୍ ଟାଙ୍କି ନିର୍ମାଣ ହୋଇଛି । ନଟରା ଗାଁ ଠାରୁ ଏକ କିଲୋମିଟର ଦୂର ବଡ଼ଓଲା ପର୍ଯ୍ୟନ୍ତ ପାଇପ ଲାଇନ୍ ସଂଯୋଗ ହୋଇଛି । ସେଠାରୁ ପାଣି ନେଇ ବଡ଼ଓଲା ଗାଁ ଲୋକ ଉପକୃତ ହେବା ସହ ରାସ୍ତାରେ ପାଇପ ଫାଟି ପାଣି ନଷ୍ଟ ହେଉଛି । ହେଲେ ପଡ଼ୋଶୀ ନଟରା ଗାଁର ଲୋକ ପାଣି ପାଇଁ ସଂଘର୍ଷ କରୁଛନ୍ତି । ତେଣୁ ପାଣି ନାହିଁ ତ ଭୋଟ୍ ନାହିଁର ନାରା ଦେଇଛନ୍ତି ଗ୍ରାମବାସୀ ।

ପ୍ରବଳ ଖରା ସାଙ୍ଗକୁ ଜଳକଷ୍ଟ ଲୋକଙ୍କୁ ସମସ୍ୟାକୁ ଦ୍ୱିଗୁଣିତ କରିଛି । ତେଣୁ ଖୁବ୍ ଶୀଘ୍ର ଗାଁକୁ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହୋଇଛି ।