କନକ ବ୍ୟୁରୋ: କାମରେ ଲାଗୁନି ଲକ୍ଷାଧୀକ ଟଙ୍କା ବ୍ୟୟରେ ନିର୍ମିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଦିର୍ଘଦିନ ହେବ ବ୍ୟବହୃତ ନହୋଇ ପଡିରହିବା ଫଳରେ ପ୍ରକଳ୍ପଟି ଏବେ ଭୁତକୋଠି ପାଲଟିଛି । ଚାରିପଟେ ଗଛଲତା ମାଡିଯିବା ସହିତ ଲାଗିଗଲାଣି କଳଙ୍କି । ପ୍ରାୟ ୬ ବର୍ଷ ହେବ ପମ୍ପ୍ ହାଉସ ଏବଂ ଓଭର୍ ହେଡ୍ ଟାଙ୍କି ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ପାଇପ ଲାଇନ୍ କାର୍ଯ୍ୟ ଶେଷ ହୋଇନପାରିବା କରାଣରୁ ପାନିୟ ଜଳ ଯୋଗାଣ ପ୍ରକଳ୍ପରେ ପଡିଛି ତାଲା । ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସି ।
Kanak News is now on WhatsApp
Join and get latest news updates delivered to you via WhatsApp
ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ନିର୍ମାଣ ହୋଇଥିଲା ପ୍ରକଳ୍ପ । ହେଲେ ଏହା ଉପରେ ଜଙ୍ଗଲ ଭଳି ମାଡି ଗଲାଣି ଗଛଲତା । ମୂଲ୍ୟବାନ ଯନ୍ତ୍ରାଂଶରେ କଳଙ୍କି ଲାଗିଲାଣି । ଏ ହେଉଛି କେନ୍ଦ୍ରାପଡା ଗରଦପୁର ବ୍ଲକ ତେଣ୍ଡାକୁଡା ପଂଚାୟତ ବସନ୍ତପୁର ଗାଁର ଘଟଣା । ପାନିୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୧୪ରେ ପ୍ରାୟ ୬୬ ଲକ୍ଷ ୭୯ ହଜାର ୪୨୫ ଟଙ୍କା ବ୍ୟୟ ଅଟକଳରେ ଏହି ଗ୍ରାମ୍ୟ ପାନିୟ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିଲା । ଯୋଜନା ଅନୁଯାୟୀ ପମ୍ପ ହାଉସ ସହ ଓଭର ହେଡ ଟାଙ୍କି ବି ହୋଇଥିଲା । ଗାଁକୁ ମାସେ ପାଣି ଦିଆଯାଇଥିଲା । କିନ୍ତୁ ପାଖ ଗାଁରେ ପାଇପ୍ ବିଛା କାମ ହୋଇନଥିବାରୁ ବନ୍ଦ ହୋଇଯାଇଥିଲା ଜଳ ଯୋଗାଣ । ଆଉ ସେବେଠୁ ପଡିଛି ତାଲା ।
ଏହା ଭିତରେ ସ୍ଥାନୀୟ ଲୋକଙ୍କ ଘରକୁ ଦିଆଯାଇଥିବା କନେକ୍ସନ ସବୁ ଭାଙ୍ଗିରୁଜି ଗଲାଣି । ଏନେଇ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁ ନଥିବା କହିଛନ୍ତି ଗ୍ରାମବାସୀ । ଆଉ ପାଣି ଟୋପେ ପାଇଁ ଅନାଇ ଥିବା ଗ୍ରାମବାସୀ ଏବେ ନିରାଶ ହୋଇଛନ୍ତି । ସରକାରଙ୍କ ରାଜକୋଷରୁ ଖର୍ଚ୍ଚ ହୋଇଥିବା ଏହି ପ୍ରକଳ୍ପରେ ଦେଖା ଦେଇଥିବା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ସହିତ ପ୍ରକଳ୍ପଟିକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହୋଇଛି ।