ରାୟଗଡାରେ ଉତ୍କଟ ହେଲାଣି ପାଣି ସମସ୍ୟା । କେଉଁଠି ପାଣି ପାଇଁ ପଂଚାୟତ ଅଫିସରେ ତାଲା । କେଉଁଠି ଆଦିବାସୀଙ୍କ ଶୋଷ ମେଂଟାଉଛି ନାଳର ଦୂଷିତ ପାଣି ।

90

କନକ ବ୍ୟୁରୋ: ଆମକୁ ପାଣି ମୁନ୍ଦେ ଦିଅ, ଆଉ କିଛି ଦରକାର ନାହିଁ । ପ୍ରଶାସନକୁ ଏପରି କିଛି ଆକୁଳ ନିବେଦନ କରିଛନ୍ତି ରାୟଗଡା ଜିଲ୍ଲାର ଦୁଇ ଗ୍ରାମବାସୀ । ବର୍ଷ ବର୍ଷ ଧରି ଜଳକଷ୍ଟ ଲାଗି ରହିଥିଲେ ମଧ୍ୟ ଗ୍ରାମବାସୀଙ୍କ କେହି କର୍ଣ୍ଣପାତ କରୁନାହାନ୍ତି । ଫଳରେ ନାଳର ଦୂଷିତ ପାଣି ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ । ଖାଲି ସେତିକି ନୁହେଁ, ୧୫ ଦିନ ହେବ ପିଇବା ପାଣି ନପାଇ ପଂଚାୟତ ଅଫିସ ବି ଘେରିଛନ୍ତି ମହିଳା ।

ଖରା ବଢିବା ସହ ରାୟଗଡା ଜିଲ୍ଲାର ବିଭିନ୍ନ ଅଂଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହେଉଛି । ବିଷମ କଟକ ବ୍ଲକ ଚାଟିକଣା ପଞ୍ଚାୟତ ଅନ୍ତର୍ଗତ ମଳିପଡା ଓ ଗେଙ୍ଗପଡାରେ ପିଇବା ପାଇଁ ପାଣି ମୁନ୍ଦେ ମିଳୁନାହିଁ । ୪୫୦ ପରିବାର ରହୁଥିବା ଏହି ଦୁଇଟି ଗାଁରେ ୪ଟି ନଳକୂପ ଓ ପାଇପ ଜଳର ବ୍ୟବସ୍ଥା ରହିଛି । ଏବେ ୩ଟି ନଳକୂପ ଅଚଳ ହୋଇ ପଡିଥିବା ବେଳେ ୧୫ଦିନ ହେବ ପାଇପ ଯୋଗେ ଜଳ ଯୋଗାଣ ବନ୍ଦ ରହିଛି । ତେଣୁ ପାଣି ପାଇଁ ପଂଚାୟତ ଅଫିସରେ ତାଲା ପକାଇ ଘେରାଉ କରିଛନ୍ତି ମହିଳା ।

ଅନ୍ୟପଟେ ରାୟଗଡା ସଦର ବ୍ଲକ ତିଲେଷୁ ଗାଁରେ ଆଦିବାସୀ ସଂପ୍ରଦାୟର ଲୋକେ ରହୁଥିବା ବେଳେ ପିଇବା ପାଣି ପାଇଁ ନାଳ ଉପରେ ନିର୍ଭରଶୀଳ । ଗ୍ରାମବାସୀଙ୍କୁ ପାଣି ଯୋଗାଇବା ପାଇଁ ଗାଁରେ ଥିବା ନଳକୂଅରୁ ଭଲ ପାଣି ବାହାରୁ ନଥିବାରୁ ଲୋକେ ଦୀର୍ଘ ବର୍ଷ ହେବ ନାଳ ପାଣି ପିଉଛନ୍ତି । ନାଳ ପାଣିରେ ଗାଧୁଆ ପାଧୁଆ କରିବା ସହ ଏଇଠୁ ପାଣି ନେଇ ପିଉଛନ୍ତି । ଫଳରେ ଲୋକେ ବିଭିନ୍ନ ଚର୍ମ ରୋଗ ସହ ଡାଇରିଆରେ ପୀଡିତ ହେଉଥିବା ଅଭିଯୋଗ ହୋଇଛି । ତେବେ ଏନେଇ ରାୟଗଡା ଉପଜିଲ୍ଲାପାଳ କହିଛନ୍ତି ପ୍ରଚଣ୍ଡ ଖରା ଯୋଗୁଁ ଭୂତଳ ଜଳସ୍ତର କମି ଯାଉଛି । ଫଳରେ ଏଭଳି ଜଳ ସମସ୍ୟା ସୃଷ୍ଟି ହେଉଛି ।