କନକ ବ୍ୟୁରୋ: ଗାଁ ଗୋଟିଏ, ହେଲେ ଅଧା ଗାଁ ପାଣି ପାଉଥିବା ବେଳେ ଆଉ ଅଧା ଗାଁ ଲୋକ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି । ଏ ସମସ୍ୟା ହେଉଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପତ୍ରାପାଲି ଗାଁ ଲୋକଙ୍କର । ଶେଷରେ ମନ୍ତ୍ରୀଙ୍କୁ ଭେଟି ଦୁଃଖ ଜଣାଇଛନ୍ତି ଗାଁ ଲୋକେ । ବର୍ଷ ବର୍ଷ ଧରି ପ୍ରଶାସନକୁ କହିବା ସତ୍ୱେ ମଧ୍ୟ ସମାଧାନ ହୋଇପାରୁନି । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗାଁ ଲୋକଙ୍କୁ ଭେଟିଛନ୍ତି ଦୁଇଟି ବିଭାଗର ଅଧିକାରୀ । ଗାଁ ଲୋକଙ୍କ ପାଖକୁ ଯାଇ ତାଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ରାସ୍ତା ମଝିରେ ଦୁଇ ଅଧିକାରୀ କଥା କଟାକଟି ହୋଇଛନ୍ତି ।
ଏହି ଗାଁକୁ ବସୁଧା ଯୋଜନାରେ ପାଇପ ଯୋଗେ ଜଳଯୋଗାଣ ହେଉଛି । ଅଧାରୁ ଅଧିକ ପରିବାର ପାନୀୟ ଜଳ ପାଇବାରୁ ବଂଚିତ ହୋଇ ଜଳକଷ୍ଟ ଭୋଗୁଛନ୍ତି । ଗାଁ ମଝିରେ ଯାଇଥିବା ରାସ୍ତାର ଗୋଟିଏ ପାଖ ଲୋକେ ପାଣି ପାଉଥିବା ବେଳେ ଅନ୍ୟ ପାଖ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ବାଧ୍ୟ ହୋଇ ନଳକୂପରୁ ବାହାରୁଥିବା ନାଲି ପାଣି ନେଇ ବ୍ୟବହାର କରୁଛନ୍ତି । ପାନୀୟ ଜଳ କଷ୍ଟରୁ କେବେ ମୁକ୍ତି ପାଇବେ ପତ୍ରାପାଲି ବାସିନ୍ଦା । ଆଉ ଦୋଷ ଲଦାଲଦି ଛାଡି ସମସ୍ୟାର ସମାଧାନ ଦିଗରେ କେବେ ପଦକ୍ଷେପ ନେବ ଉଭୟ ବିଭାଗ ।