କନକ ବ୍ୟୁରୋ: ଖରା ଆସିଲା, ତାତି ବଢିଲା, ଲୋକଙ୍କୁ ପିଇବା ପାଣିର ସମସ୍ୟା ଘାରିଲା । ଆଉ ଏ ସମୟରେ ମନେ ପଡ଼େ ସରକାରଙ୍କ ଯୋଜନା କଥା । କଣ କହିଥିଲେ କଣ ମିଳିଛି? ପାଣି ପାଇଁ ଆଉ କେତେ ଦିନ ଯାଏଁ ଡହଳବିକଳ ହେବାକୁ ପଡିବ? କେତେଦିନ ଆଉ ଗରା ବାଲଟିଏ ଧରି ଅପେକ୍ଷା କରିବାକୁ ପଡିବ ?

Advertisment
  • କେବେ ମିଳିବ ପାଇପ ପାଣି?
  • ଜଳଯନ୍ତ୍ରଣା ଆଉ କେତେ ଦିନ?
  • କେବେ ସରିବ ପ୍ରକଳ୍ପ କାମ?

ମୁନ୍ଦାଏ ପାଣି ପାଇଁ ଗରା, ବାଲଟି ଧରି ପାଇପ ପାଖରେ ଜଗି ରହିଛନ୍ତି ଗାଁର ମହିଳା । ସକାଳୁ ସନ୍ଧ୍ୟା ଯାଏଁ ଗୋଟିଏ ନଳକୂପ ଲୋକଙ୍କ ଜୀବନ ପାଲଟିଛି । ପାଣି ପାଇଁ ମହିଳାଙ୍କ ଭିଡ ଲାଗି ରହୁଥିବା ବେଳେ ପାଳି ଅନୁସାରେ ପାଣି ମିଳୁଛି । ତେବେ ଏଇ ନିକଟରେ ଏନଏସି ମାନ୍ୟତା ପାଇଥିବା କୋରାପୁଟ ଜିଲ୍ଳା ବୋରିଗୁମ୍ମାର ପାଣି ସମସ୍ୟା ଦୀର୍ଘଦିନର ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ମହିଳା ।

ପୁରୁଣା ବୋରିଗୁମ୍ମାର ଜଳ ସଙ୍କଟ ଦୂରେଇବା ପାଇଁ ୨୦୧୮ରେ ମୁରାନ ଡ଼୍ୟାମ ନିକଟରେ ୩୧୬ କୋଟିର ମେଗା ଜଳ ଯୋଗାଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ୨ ବର୍ଷରେ କାମ ଶେଷ ହେବ ବୋଲି କୁହାଯାଇଥିଲା । ଜିଲ୍ଳାର ୩ଟି ବ୍ଳକ ଜୟପୁର, ବୋରିଗମ୍ମା ଓ କୋଟପାଡ଼ ବ୍ଳକର ୫୨ଟି ପଞ୍ଚାୟତରେ ଘରେ ଘରେ ପାଇପ ପାଣି ସୁବିଧା ମିଳିବ ବୋଲି କୁହାଯାଇଥିଲା । ହେଲେ ଏହି ପ୍ରକଳ୍ପ ପାଇଁ ଅନୁଦାନ ରାଶି ବଢୁଥିବା ବେଳେ ଏଯାଏଁ କାମ ସରୁନାହିଁ କି ଲୋକଙ୍କ ଜଳ ସମସ୍ୟା ଦୂର ହେଉନାହିଁ ।