ପାନୀୟ ଜଳ ସୁବିଧା ନଥିବାରୁ ଗାଁର ଜଣେ ଶିକ୍ଷକଙ୍କ ଘରୁ ପାଣି କିଣି ପିଉଛନ୍ତି ଗ୍ରାମବାସୀ । ୪ ବର୍ଷ ହେଲା ଏଭଳି ସମସ୍ୟା ଭୋଗୁଛନ୍ତି ରାୟଗଡ଼ା ଟିକରପଡ଼ା ଗାଁ ଲୋକେ

68

କନକ ବ୍ୟୁରୋ : ଟଙ୍କା ଦେଲେ ମିଳୁଛି ପାଣି । ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ଟିକରପଡ଼ା ଗାଁ ୪ ବର୍ଷ ହେଲା ଏଭଳି ପାଣି କିଣି ପିଉଛନ୍ତି । ପାନୀୟ ଜଳର ସୁବିଧା ନଥିବାରୁ ଗାଁରେ ଥିବା ଜଣେ ଶିକ୍ଷକଙ୍କ ଘରୁ ପାଣି କିଣିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଏଥିପାଇଁ ଗୋଟିଏ ପରିବାରକୁ ମାସକୁ ୧୦୦ ଟଙ୍କା ସହ ମାସିକ ବିଦ୍ୟୁତ ବିଲ୍ ଯେତିକି ଆସେ ତାକୁ ମଧ୍ୟ ଗାଁ ଲୋକେ ମିଳି ମିଶି ପୈଠ କରିବା ପାଇଁ ଉକ୍ତ ଶିକ୍ଷକଙ୍କୁ ଟଙ୍କା ପ୍ରଦାନ କରିଥାନ୍ତି । ଟଙ୍କା ପୈଠ ନହେଲେ ଗାଁ ଲୋକଙ୍କୁ ପାଣି ମିଳିନଥାଏ । ପାଣି ସମସ୍ୟା ନେଇ ସରପଂଚ, ସମିତି ସଭ୍ୟ, ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଯେତେ ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ଗାଁରେ ୬ଟି ସାହିରେ ପାଖାପାଖି ୧୫୦ରୁ ଉଦ୍ଧ୍ୱର୍ ପରିବାର ବାସ କରୁଥିବା ବେଳେ ଜନସଂଖ୍ୟା ୫୦୦ରୁ ଅଧିକ ରହିଛି । ଗାଁରେ ଗୋଟିଏ ସୋଲାର ପାଇପ ସହ ୪ଟି ନଳକୂପ ରହିଛି । ସୋଲାର ପାଇପରୁ ପର୍ଯ୍ୟାପ୍ତ ପରିମାଣର ପାଣି ବାହାରୁନଥିବା ବେଳେ ଗାଁରେ ଥିବା ନଳକୂପ ଅଚଳ ପଡ଼ିଛି । ଗାଁ ନିକଟରେ ଝଞ୍ଜାବତି ନଦୀ ପ୍ରବାହିତ ହେଉଛି । ହେଲେ ତାହା ବି ବ୍ୟବହାର ଯୋଗ୍ୟ ନୁହେଁ । ତେଣୁ ଲୋକ ମାନେ ବାଧ୍ୟ ହୋଇ ଗାଁରେ ଥିବା ଶିକ୍ଷକଙ୍କ ଘରୁ ପାଣି କିଣି ବ୍ୟବହାର କରୁଛନ୍ତି ।

ପ୍ରତ୍ୟୋକ ଘରକୁ ପାନୀୟ ଜଳ ଯୋଗାଣ ପାଇଁ ଟ୍ୟାପ ଲଗିଛି । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୪୨ ଲକ୍ଷ ୪୬ ହଜାର ଟଙ୍କା ବ୍ୟୟରେ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ଉନ୍ନତ ଜଳ ଭଣ୍ଡାର ସହ ଦୁଇଟି ବୋରୱେଲ ନିର୍ମାଣ କରାଯାଇଛି । ହେଲେ ବିଦ୍ୟୁତ ସଂଯୋଗ ହୋଇପାରିନଥିବାରୁ ଏହା କାର୍ଯ୍ୟକ୍ଷମ ହୋଇନପାରି ଦୀର୍ଘ ବର୍ଷ ହେଲାଣି ଜରାଜିର୍ଣ୍ଣ ଅବସ୍ଥାରେ ପଡି ଭାଙ୍ଗିରୁଜି ଗଲାଣି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧରଣରେ ଦାବି ହୋଇଛି ।