କନକ ବ୍ୟୁରୋ :  ତତଲା କଢେଇ ରେ ସିଝୁଛି ମାଲକାନଗିରି । ପୁନରୁଦ୍ଧାର ନାଁ ରେ ଜଳାଶୟରୁ ଜଳ ନିଷ୍କାସନ କରୁଛି ପୌର ପରିଷଦ । ୪୨ ଡିଗ୍ରି ତାପ ମାତ୍ରାରେ ଚାଲିଛି ମାଛ ଧରା ।  ବଣ୍ଡାବାକିଲି ପୋଖରିରେ ତିନୋଟି ପମ୍ପ ସାହାଯ୍ୟରେ ଦିନ ରାତି ଚାଲିଛି ଜଳ ନିଷ୍କାସନ କାମ । ଆଉ ୪୨ ଡିଗ୍ରି ତାପ ମାତ୍ରା ରେ ଖରାକୁ ବେଖାତିର କରି ମାଛ ଧରୁଛନ୍ତି ଶହ ଶହ ଲୋକେ । ବର୍ଷେ ନୁହଁ କି ଦୁଇ ବର୍ଷ ନୁହଁ, ପ୍ରାୟ ପ୍ରତି ବର୍ଷ ଦଳ ସଫା ବା ବନ୍ଧ ଓ ପାର୍କ ନିର୍ମାଣ ନାଁ ରେ ଏଠାରେ କୋଟି କୋଟି ଟଙ୍କା ଖର୍ଚ ହେଉଛି । ହେଲେ ପୁନରୁଦ୍ଧାର କାମ ହୋଇ ପାରୁ ନାହିଁ । ଅନେକ ପ୍ରଜାତି ର ବିଦେଶୀ ପକ୍ଷୀ ମାନେ ଏଠାରେ ବସା ବାନ୍ଧନ୍ତି, ଶହର ବହୁ ଲୋକେ ଖରାରୁ ବଂଚିବା ପାଇଁ ଏହାଉପରେ ନିର୍ଭର କରୁଛନ୍ତି । ହେଲେ ବଣ୍ଡାବାକିଲି ପୋଖରି ସାଙ୍ଗକୁ ବଡ ବଡ ଜଳାଶୟ ରେ ଏପରି ଜଳ ନିଷ୍କାସନ କରାଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି ।

Advertisment

ପ୍ରତି ବର୍ଷ ଜଳ ନିଷ୍କାସନ, ଦଳ ସଫା, ପାଚେରୀ ନିର୍ମାଣ, ବୃକ୍ଷ ରୋପଣ, ପାର୍କ ନିର୍ମାଣ ଆଦି  ବାବଦକୁ କୋଟି କୋଟି ଟଙ୍କା ହରିଲୁଟ ହେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଆରଟିଆଇ ତଥ୍ୟରୁ ମିଳି ଥିବା ସୁଚନା ଅନୁସାରେ ୨୦୧୬-୧୭ ଆର୍ଥୀକ ବର୍ଷ ରେ ପୋଖରିର ବିଭିନ୍ନ କାମ ବାବଦକୁ ୯୫ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ ହୋଇଛି । ସେହି ପରି ୨୦୧୯-୨୦ ରେ କେବଳ ପୁନରୁଦ୍ଧାର ନାଁ ରେ ୧ କୋଟି ୪୬ ଲକ୍ଷ ୯୪ ହଜାର ଟଙ୍କା ଖର୍ଚ ହୋଇଛି । ଆଉ ୨୦୨୩-୨୪ ବର୍ଷ ରେ ପୁଣି ଏସଏଚଜି ମହିଳା ଙ୍କ ମାଧ୍ୟମରେ ୧ କୋଟି ୯୦ ଲକ୍ଷ ଟଙ୍କା ବିନିମୟରେ ପୋଖରି  ଜଳ ନିଷ୍କାସନ ଓ ମାଟି ଖୋଳା ଲାଗି ବ୍ୟୟ ବରାଦ ହୋଇ କାମ ଜାରି ରହିଛି   । ସେପଟେ  ସବୁ କିଛି ଠିକଠାକ ଚାଲି ଥିବା କହିଛନ୍ତି ମାଲକାନଗିରି ପୌର ପରିଷଦର ନିର୍ବାହୀ ଅଧିକାରୀ ।

ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଖରା ଦିନରେ କେନାଲ ପୋଖରିରେ ପାଣିର ଅଭାବ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।