କନକ ବ୍ୟୁରୋ : ଏଠାରେ ଉକ୍ରଟ ଜଳ ସମସ୍ୟା କେତେ ପୂରୁଣା ତାହା କହିବାର ବୋଧେ ଆବଶ୍ୟକତା ନାହିଁ । ଗଞ୍ଜାମ ଖଲ୍ଲିକୋଟ ବ୍ଲକ ଆଦିବାସୀ ଅଧୁଷିତ ଅଂଚଳ ବାଦପଲ୍ଲୀରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ପାଣି ସମସ୍ୟା । ପଂଚାୟତର ପ୍ରାୟ ୬ଟି ଗାଁର ଲୋକ ଜଳକଷ୍ଟ ଭୋଗୁଛନ୍ତି । କେଉଁଠି ପରିତ୍ୟକ୍ତ କୂଅ ସାହାରା ହୋଇଥିବା ବେଳେ କେଉଁଠି ଶୋଷ ମେଂଟାଉଛି ପୋଖରୀ ପାଣି । ବାଦପଲ୍ଲୀ ପଂଚାୟତର କମାରସିଂ ଗାଁରେ ୭୫ଟି ପରିବାର ଗୋଟିଏ ନଳକୂପ ଓ ଗୋଟିଏ କୂଅ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏବର୍ଷ ପ୍ରବଳ ଖରା ଯୋଗୁଁ କୂଅ ଶୁଖି ଯାଇଛି । ନଳକୂଅରୁ ଅଳ୍ପ ପାଣି ବାହାରୁଛି । ତେଣୁ ବାଧ୍ୟ ହୋଇ ପୋଖରୀ ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଆଜି ପର୍ଯ୍ୟନ୍ତ କମାରସିଂ ଗାଁକୁ ବସୁଧା ଯୋଜନା ପହଂଚି ପାରିନାହିଁ । କୂଅ ଶୁଖି ଯାଇଥିବାରୁ ଗ୍ରାମବାସୀ ନିଜେ ଚାନ୍ଦା କରି କୂଅ ସଫା କରୁକରୁଥିବା ଦେଖିବାକୁ ମିଳିଛି ।

Advertisment

ସେହିଭଳି କୁରିମପୁର ଗାଁର ୧୦୦ ଘର ପାଇଁ ୩ ବର୍ଷ ତଳେ ଏକ ସୋଲାର ଟାଙ୍କି ମାଧ୍ୟମରେ ଜଳ ଯୋଗାଣ ଆରମ୍ଭ ହୋଇଥିଲା । ହେଲେ ମାତ୍ର ଏକ ମାସ ପରେ ସୋଲାର ଜଳ ଯୋଗାଣ ବନ୍ଦ ହୋଇଯିବାରୁ ଏକ ପରିତ୍ୟକ୍ତ କୂଅ ଓ ଗୋଟିଏ ନଳକୂଅକୁ ଭରସା କରିଛନ୍ତି ଗ୍ରାମବାସୀ । ବେଳେ ବେଳେ ଝରଣା ନଚେତ ବଜାରରୁ ପାଣି କିଣି ପିଇବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି । ବହୁ ସମୟରେ ଅଭିଯୋଗ ପରେ ମଧ୍ୟ ପାଣି ସମସ୍ୟା ଦୂର ହେଉନଥିବାରୁ ଏଥର ନିର୍ବାଚନ ପୂର୍ବରୁ ଯିଏ ପାଣି ସମସ୍ୟା ଦୂର କରିବ ତାକୁ ଭୋଟ ଦେବେ ବୋଲି ନିଷ୍ପତି ନେଇଛନ୍ତି ଗ୍ରାମବାସୀ ।

ଘରେ ଘରେ ପାଣି ପହଂଚାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ବାଦପଲ୍ଲୀ ପଂଚାୟତର ପାଣି ସମସ୍ୟା ସରକାରଙ୍କ ପ୍ରଚାର ପ୍ରସାରକୁ ଉପହାସ କରୁଛି ।