କନକ ବ୍ୟୁରୋ : ଭୂତଳ ଜଳସ୍ତର ହ୍ରାସ ଯୋଗୁଁ ଜଳକଷ୍ଟ ଭୋଗୁଛନ୍ତି ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକର ତିନୋଟି ପଂଚାୟତର ଲୋକେ । ଡିପ୍ ବୋର ୱେଲ କରି ରାମକୋ ସିମେଂଟ କମ୍ପାନୀ ଭୂତଳ ଜଳ ଶୋଶି ନେଉଥିବାରୁ ଦେଖାଦେଇଛି ପାନୀୟ ଜଳ ସଙ୍କଟ । ଏପରି ସ୍ଥଳେ କମ୍ପାନୀ ଟ୍ୟାଙ୍କରରେ ଜଳ ଯୋଗାଇଦେବାକୁ ପ୍ରତିଶ୍ରୂୁତି ଦେଇଥିବା ବେଳେ ଜଳଯୋଗାଣ ବନ୍ଦ କରିଦେଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବଢୁଛି ଅସନ୍ତୋଷ ।

ଭୂତଳ ଜଳ ଶୋଶୁଛି ରାମକୋ ସିମେଣ୍ଟ । ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ । ରାମକୋ ସିମେଣ୍ଟ କାରଖାନା ଯୋଗୁ ଯାଜପୁର ଧର୍ମଶାଳା ବ୍ଲକର ଥାନୁଆଳ, ହରିଦାସପୁର, ଆରୁହା ପଂଚାୟତର ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ପାହାଡିଆ ଅଂଚଳ ହୋଇଥିବାରୁ ଏହି ସବୁ ପଂଚାୟତରେ ପାନୀୟ ଜଳ ସମସ୍ୟା ରହିଛି । କେଉଁଠି ନଳକୂଅ ଥାଇ ସେଥିରୁ ଆଇରନ ପାଣି ବାହାରୁଛି ତ ଆଉ କେଉଁଠି ପଚାପାଣି ବାହାରୁଛି । ଯାହାକି ବ୍ୟବହାର ଉପଯୋଗୀ ନୁହେଁ ।

ଏବେ ହରିଦାସପୁରଠାରେ କାର୍ଯ୍ୟକ୍ଷମ ଥିବା ରାମକୋ ସିମେଂଟ କମ୍ପାନୀ କାରଖାନା ପରିସରରେ ତିନୋଟି ଡିପ୍ ବୋର ୱେଲ କରି ପ୍ରଚୁର ମାତ୍ରାରେ ଭୂତଳ ଜଳ ବ୍ୟବହାର କରୁଛି । ଫଳରେ ସ୍ଥନୀୟ ଅଂଚଳରେ ଏଭଳି ପାନୀୟ ଜଳ ସମସ୍ୟା ବଢିବାରେ ଲାଗିଥିବା ଅଭିଯୋଗ ହୋଇଛି ।

୨୦୧୭ ମସିହାରୁ ହରିଦାସପୁରଠାରେ ରାମକୋ ସିମେଂଟ କମ୍ପାନୀ କାର୍ଯ୍ୟକ୍ଷମ ଅଛି । ଜଳ ସମ୍ପଦ ବିଭାଗ ପକ୍ଷରୁ କାରଖାନା ପରିସରରେ ଜଳମାପକ ଯନ୍ତ୍ର ବସାଯାଇ ଶୁଳ୍କ ଆଦାୟ ହେଉଛି ବୋଲି କୁହାଯାଉଛି । ମାତ୍ର କାରଖାନା କର୍ତ୍ତୃପକ୍ଷ କେଉଁଠାରେ ବୋରୱେଲ ଖୋଳିଛନ୍ତି, କେଉଁଠି ଜଳମାପକ ଯନ୍ତ୍ର ବସାଯାଇଛି ତାହା କେବଳ କାରଖାନା ଓ ଜଳସେଚନ କର୍ତ୍ତୃପକ୍ଷଙ୍କୁ ହିଁ ଜଣା । କାରଣ କାରଖାନା ଭିତରକୁ ସର୍ବସାଧାରଣ କିମ୍ବା ଗଣମାଧ୍ୟମ ପ୍ରବେଶ ଉପରେ କଟକଣା ରହିଛି । ଅନ୍ୟପଟରେ କମ୍ପାନୀ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏବେ ପାଣି ଯୋଗାଣ ମଧ୍ୟ ବନ୍ଦ ରହିଛି । ଫଳରେ ଗ୍ରାମବାସୀମାନେ କୂଅ ଏବଂ ଦୂଷିତ ନଳକୂପ ପାଣି ବ୍ୟବହାର କରୁଛନ୍ତିି ।