କନକ ବ୍ୟୁରୋ : ଖରା ଦିନରେ ଆରମ୍ଭ ହୋଇଗଲାଣି ଜଳକଷ୍ଟ । ବିଭିନ୍ନ ସ୍ଥାନରେ ପିଇବାପାଣି ଯୋଗୁ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ପାଣି ଯୋଗୁ ମାଇଲ ମାଇଲ ବାଟ ଯାଉଛନ୍ତି । ଅନ୍ୟସ୍ଥାନ ଭଳି କେନ୍ଦୁଝର ଆନନ୍ଦପୁର କାଠକଟାର ଚତୁରୀ ସାହିରେ ପିଇବା ପାଣିର ସମସ୍ୟା ଦେଖିବାକୁ ମିଳିଛି । ଏହି ସାହିରେ ୫୦ରୁ ଅଧିକ ପରିବାର ରହୁଥିବା ବେଳେ ପ୍ରାୟ ୩ଶହରୁ ଲୋକ ରୁହନ୍ତି । ଅନ୍ୟ ସମସ୍ୟା ଭିତରେ ଖରାଦିନ ଆସିଲେ ଗାଁରେ ପିଇବା ପାଣି ଯୋଗୁ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ପାରି ଟୋପାଏ ପାଇଁ ଦୂର ସ୍ଥାନକୁ ଗରାବାଲଟି ଧରି ଯାଉଛନ୍ତି । ମାଇଲ ମାଇଳ ବାଟ ଅତିକ୍ରମ କଲାପରେ ମୁନ୍ଦାଏ ପାଣି ମିଳୁଛି ଯାହା ପରିବାରକୁ ନିଅଂଟ । ଗାଁରେ ଥିବା ନଳକୂଅରୁ ବାହାରୁଛି ଦୂଷିତ ପାଣି । ଯାହାକୁ ପିଇବା ଦ୍ୱାରା ରୋଗାକ୍ରାନ୍ତ ହୋଇପଡୁଛନ୍ତି ଗ୍ରାମବାସୀ ।
ରାତିପାହିଲେ ଗାଁର ଲୋକଙ୍କୁ ଘାରୁଛି ପାଣି ଚିନ୍ତା । ସକାଳୁ ସକାଳୁ ଗରା ବାଲଟି ଧରି ମାଇଲ ମାଇଲ ବାଟ ଯାଉଛନ୍ତି ପାଣି ଆଣିବାକୁ । ପାଣି ସମସ୍ୟା ଦିନକୁଦିନ ବଢିବାରେ ଲାଗିଥିବାରୁ ଲୋକଙ୍କ ପାଇଁ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ହେଲେ ତାହା ଲୋକଙ୍କୁ ନିଅଂଟ । ୩ ବର୍ଷ ହେଲା ପାଇପ୍ ବିଛା ଯାଇଥିଲେ ବି କାମ ହୋଇପାରିନି । ଷ୍ଟାଂଡପୋଷ୍ଟ ସବୁ ଅଦରକାରୀ ହୋଇ ପଡିରହିଛି । ଏନେଇ ଜଣାଯାଇଥିଲେ ବି କୌଣସି ସମସ୍ୟାର ସମାଧାନ ହୋଇପାରିନି । ଯାହାକୁ ନେଇ ଅସନ୍ତୋଷ ବଢିଚାଲିଛି ।
ପାଣି ଯୋଗୁ ଲୋକ ମାନେ ବହୁ ଅସୁବିଧା ଭୋଗୁଥିବା ବେଳେ ଏହାର ଖୁବଶୀଘ୍ର ସମାଧାନ କରାଯାଇ ପାଣି ବ୍ୟବସ୍ଥାକରାଯିବା ଜରୁରୀ ହୋଇପଡିଛି ।