ପାନୀୟ ଜଳ ପାଇଁ ଡ଼ହଳ ବିକଳ କଟକବାସୀ । ପାଇପରୁ ବାହାରୁଛି ଗୋଳିଆ ପାଣି, ଶୁଣୁନି କି ବୁଝୁନି ପ୍ରଶାସନ ।

79

କନକ ବ୍ୟୁରୋ : କଟକ ମହାନଗର ନିଗମରେ ପାଇପରୁ ବାହାରୁଛି ଦୂଷିତ ପାଣି । ପାଇପରୁ ବାହାରୁଥିବା ପାଣି ହଳଦିଆ ରଙ୍ଗର ହୋଇଥିବା ବେଳେ ଏହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । ଫଳରେ ୧୮ ନମ୍ବର ୱାର୍ଡ଼ବାସୀ ପିଇବା ପାଣି ଟୋପେ ପାଇଁ ଡ଼ହଳ ବିକଳ ହେଉଛନ୍ତି ।

ପାଣି ସମସ୍ୟା, ପୁଣି କଟକରେ । କିଛି ନୂଆ ନୁହେଁ ଏହି ସମସ୍ୟା । କେତେବେଳେ ପାଇପ ଫାଟି ରାସ୍ତା ଉପରେ ପାଣି ବହେ ତ ଆଉ କେତେବେଳେ ପାଇପରେ ଲୋକଙ୍କ ପାଖରେ ପହଞ୍ଚେ ଦୂଷିତ ଜଳ । କଟକ ମହାନଗର ନିଗମର ୧୮ ନମ୍ବର ୱାର୍ଡ଼ ଅନ୍ତର୍ଗତ ବାଉଁଶଗଳି, ଓଡ଼ିଆ ବଜାର ଅଞ୍ଚଳରେ ଜନସ୍ୱାସ୍ଥ୍ୟ ବିଭାଗର ପାଇପରୁ ଦୂଷିତ ପାଣି ବାହାରୁଥିବା ଅଭିଯୋଗ କରିଛନ୍ତି ଲୋକେ ।

ପାଖାପାଖି ୧୫ ଦିନ ହେଲା ଏପରି ଦୂଷିତ ପାଣି ବାହାରୁଛି । ଏହି ପାଣି ପିଇବା ତ ଦୂରର କଥା, ଗାଧୋଇବା କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର ହୋଇପାରୁନାହିଁ । ପ୍ରତିବର୍ଷ ଏହି ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ୱାର୍ଡ଼ ବାସିନ୍ଦା । ମହାନଗର ନିଗମ ଓ ଜନସ୍ୱାସ୍ଥ୍ୟ ବିଭାଗ ଏହାର ସ୍ଥାୟୀ ସମାଧାନ କରୁନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ଓ ପୂର୍ବତନ କର୍ପୋରେଟର । ପାନୀୟ ଜଳ ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିଛନ୍ତି କଟକ ମହାନଗର ନିଗମର ୧୮ ନମ୍ବର ୱାର୍ଡ଼ ବାସିନ୍ଦା । ତେଣୁ ଖୁବ୍ ଶିଘ୍ର ଏହି ସମସ୍ୟାର ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି ।