ରେଳ ଧାରଣା ପାର ହେଲେ ମିଳୁଛି ପିଇବା ପାଣି: ବାଲେଶ୍ୱର ବସ୍ତା ଅଂଚଳରୁ ଆସିଲା ଜଳକଷ୍ଟର କରୁଣ ଦୃଶ୍ୟ

77

କନକ ବ୍ୟୁରୋ: ରେଳ ଧାରଣା ପାର ହେଲେ ମିଳୁଛି ପିଇବା ପାଣି । ପାଣି ପାଇଁ ଲୋକଙ୍କୁ ବିପଦପୁର୍ଣ୍ଣ ଭାବେ ରେଳ ଧାରଣା ପାର ହେବାକୁ ପଡ଼ୁଛି । ଏ ଦୃଶ୍ୟ ହେଉଛି ବାଲେଶ୍ୱର ବସ୍ତା ଅଂଚଳର । ଗାଁରେ ଥିବା ନଳକୂପ ଅଚଳ ହୋଇପଡ଼ିବା ପରେ ଲୋକଙ୍କୁ ଘାଣିଛି ପାଣି ଚିନ୍ତା । ପିଇବା ପାଣି ପାଇଁ ଲୋକଙ୍କୁ ନିକଟସ୍ଥ ଅମର୍ଦାରୋଡ ରେଳ ଷ୍ଟେସନ ଉପରେ ନିର୍ଭର କରିବାକୁ ପଡୁଛି । କେତେବଳେ ଷ୍ଟେସନରେ ଥିବା ଟ୍ୟାପରୁ ପାଣି ସଂଗ୍ରହ କରିବାକୁ ପଡ଼ୁଛି ତ ପୁଣି କେତେବେଳେ ରେଳ ଧାରଣା ପାର ହୋଇ ଅନ୍ୟ ଗାଁ ଘରୋଇ ନଳକୂପରୁ ପାଣି ଆଣିବାକୁ ପଡ଼ୁଛି । ଅନ୍ୟପଟେ ଦୁର୍ଘଟଣା ଆଶଙ୍କା କରି ଅନେକ ସମୟରେ କର୍ତୃପକ୍ଷ ଜାଣିସୁଣି ଷ୍ଟେସନକୁ ଜଳ ଯୋଗାଣ ବନ୍ଦ କରିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି । ୫ ଦିନ ହେଲା ଷ୍ଟେସନ ଟାଙ୍କି ଖରାପ ଥିବାରୁ ପାଣି ପାଇଁ ଲୋକଙ୍କ ଚିନ୍ତା ବଢିଯାଇଛି ।

ସେହିପରି ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳିଛି । ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହର ଠାରୁ ମାତ୍ର ୩ କିଲୋମିଟର ଦୁରରେ ଥିବା ପର୍ଶୁରାମପୁର ଗାଁରେ ଲାଗି ରହିଛି ପାନୀୟ ଜଳ ସମସ୍ୟା । ଗାଁରେ ପ୍ରାୟ ୫ଶହରୁ ଅଧିକ ଲୋକ ବସବାସ କରୁଥିବା ବେଳେ ଗୋଟିଏ ମାତ୍ର ନଳକୂପ ଲୋକଙ୍କ ଶୋଷ ମେଂଟାଉଛି । ନଳକୂପରୁ ବାହାରୁଥିବା କଳଙ୍କି ପାଣି ପିଇ ଲୋକେ ଅନେକ ସମୟରେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଆଉ ତିନୋଟି ନଳକୂପ ଅଚଳ ହୋଇପଡ଼ିଥିବା ବେଳେ ଏଥିପ୍ରତି କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ପଡ଼ୁନାହିଁ । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ସ୍କୁଲ ପରିସରରେ ଥିବା ୨ଟି ନଳକୂପ ଅଚଳ ହେବା ପରେ ରୋଷେଇ କାର୍ଯ୍ୟ ପାଇଁ ବାହାରୁ ପାଣି ଆଣିବାକୁ ପଡ଼ୁଛି ।

ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସରକାର ବସୁଧା ଯୋଜନା ଆରମ୍ଭ କରିଛନ୍ତି । ହେଲେ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଏହି ଯୋଜନା ବାଟ ହୁଡ଼ୁଥିବା ଭଳି ମନେ ହେଉଛି । ଜିଲ୍ଲା ଜଳ ଯୋଗାଣ କାର୍ଯ୍ୟାଳୟ ପରିସରରେ ଶହ ଶହ ଯନ୍ତ୍ରାଂଶ ଖତ ଖାଉଥିବା ବେଳେ ଗାଁରେ ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ଲୋକେ ।