କନକ ବ୍ୟୁରୋ : ପ୍ରଚଣ୍ଡ ଖରାକୁ ଅସହାୟ ତାତି । ଆଉ ଏହି ଅସହାୟ ତାତିରେ ମୁନ୍ଦାଏ ପାଣି ପାଇଁ ସଂଘର୍ଷ । ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ । ଆଉ ଗ୍ରାମାଞ୍ଚଳରେ ଶୋଷ ମେଣ୍ଟାଉଛି ନାଗାବଳି ନଦୀର ଦୂଷିତ ଜଳ ।

ଯେତେବେଳେ ଗାଁରେ ନଳକୂଅ ଅଚଳ ହୋଇଯାଏ, ସୋଲାର ପମ୍ପ ପୋଡିଯାଏ, ସେତେବେଳେ ଜଳକଷ୍ଟ ଭୋଗିବାକୁ ପଡେ, ନଦୀ ଜଳରେ ଶୋଷ ମେଣ୍ଟେ । ଠିକ୍ ଯେମିତି ନାଗାବଳୀ ନଦୀରେ ବାଲି ଚୂଆ କରି ଶୋଷ ମେଂଟାଉଛନ୍ତି ରାୟଗଡା ବ୍ଳକ କେରେଡା ପଞ୍ଚାୟତ ଅନ୍ତର୍ଗତ ଖିଲିମିଶଗୁଡା ଗାଁର ଆଦିବାସୀ ପରିବାର ।

ଖିଲିମିଶଗୁଡା ଗାଁରେ ୭୦ଟି ପରିବାରର ପ୍ରାୟ ୪ଶହ ଲୋକ ବସବାସ କରନ୍ତି । ସେମାନଙ୍କ ପାଇଁ ୨ଟି ନଳକୂଅ ଓ ଗୋଟିଏ ସୋଲାର ପମ୍ପ ରହିଛି । ଏବେ ଗୋଟିଏ ନଳକୂଅ ସଂପୂର୍ଣ୍ଣ ଅଚଳ ହୋଇଯାଇଥିବା ବେଳେ ୫ ମାସ ହେଲାଣି ସୋଲାର ପମ୍ପ ପୋଡିଯାଇଛି । ଅନ୍ୟ ନଳକୂଅରୁ ଦୂଷିତ ପାଣି ବାହାରୁଥିବାରୁ ରାତି ପାହିଲେ ଗରା ବାଲଟି ଧରି ନାଗାବଳୀ ନଦୀ ପଠାକୁ ବାହାରି ଯାଉଛନ୍ତି ଗାଁର ମହିଳାମାନେ । ନଦୀରେ ଗାଧୁଆପାଧୁଆ କରିବା ସହ ପଠାରେ ବାଲି ଚୁଆ କରି ପିଇବା ପାଇଁ ସଂଗ୍ରହ କରୁଛନ୍ତି ।

ଗ୍ରାମବାସୀ ମାସ ମାସ ଧରି ଜଳ ଯନ୍ତ୍ରଣା ଭୋଗୁଥିବା ବେଳେ ଯଥାଶୀଘ୍ର ଲୋକଙ୍କ ସମସ୍ୟାର ସମାଧାନ କରି ପିଇବା ପାଣିର ବ୍ୟବସ୍ଥା କରିବେ ବୋଲି ରାୟଗଡା ବିଡିଓ ଲକ୍ଷ୍ମୀ ନାରାୟଣ ଶାବତ ପ୍ରକାଶ କରିଛନ୍ତି ।