ଏଥର ସାବାଡ ହେବେ ମଦୁଆ । ଘଂଟ ବାଡେଇ ଗ୍ରାମବାସୀଙ୍କ ସତର୍କବାଣୀ । ମଦ ପିଇ ଗାଁକୁ ଆସିଲେ ଗଣିବେ ୨୦ ହଜାର ଟଙ୍କା ଜରିମାନା

207

କନକ ବ୍ୟୁରୋ :  ମଦ ମଣିଷକୁ ନଷ୍ଟ କରିବାର ଏକ ସୁଗମ ପଥ । ନିଶାସକ୍ତ ବ୍ୟକ୍ତି କେବଳ ନିଜର କ୍ଷତି କରିନଥାଏ । ସମାଜକୁ ବି ବିଶୃଙ୍ଖଳିତ କରିବାର ପ୍ରମୁଖ ଭୁମିକା ନିଭାଇଥାଏ । ଏହାସହ ପରିବାର ଭିତରେ କଳହର କାରଣ ମଦ ହୋଇଥାଏ । ଏସବୁରୁ ମୁକ୍ତି ପାଇବାକୁ କେତେ ଯେ ସଚେତନ କେତେ ଉପଦେଶ । ହେଲେ ଦିନକୁ ଦିନ ସମାଜରେ ମଦର ବ୍ୟବହାର ବହୁଳ ହେବାରେ ଲାଗିଛି । ଏହାକୁ ନଜରରେ ରଖି ଅନେକ ସ୍ୱେଚ୍ଛାସେବୀ ସଂଗଠନ ବାରମ୍ବାର ସରକାର ମଦ ବିକ୍ରି ବନ୍ଦ କରନ୍ତୁ ବୋଲି ଦାବି କରୁଛନ୍ତି । ଏହାରି ମଧ୍ୟରେ କିଛି ରାଜ୍ୟ ବି ମଦ ବିକ୍ରି ଉପରେ ନିଶେଧାଦେଶ ଜାରି କରିଛନ୍ତି । ହେଲେ ମଦ ବିକିବା ଲୋକ ଓ ପିଇବା ଲୋକଙ୍କୁ ଏସବୁରେ କିଛି ଫରକ ପଡୁ ନାହିଁ ।
ହେଲେ ପୁରୀ ନିମାପଡା ବ୍ଲକର ବସନ୍ତପୁର ଗ୍ରାମର ଗ୍ରାମ କମିଟି ଏକ ଅଭିନବ ଉପାୟରେ ଗ୍ରାମକୁ ମଦମୁକ୍ତ କରିବାକୁ ଚେଷ୍ଟା କରିଛି ।
ଏଥର ସାବାଡ ହେବେ ମଦୁଆ । ଗାଁରେ ଘଂଟ ବଡେଇ ମଦୁଆଙ୍କୁ ସତର୍କ କଲେ ଗ୍ରାମବାସୀ । ଗାଁକୁ ସଂପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଏକତ୍ରିତ ହୋଇଛନ୍ତି ଗ୍ରାମବାସୀ । ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିରରେ ବୈଠକ କରିବା ପରେ  ଗାଁ ଦାଣ୍ଡ ଘଂଟ ବାଡେଇ ସତର୍କବାଣୀ ଶୁଣାଇ ଦେଇଛନ୍ତି ନିମାପଡ଼ା ବ୍ଲକ ବସନ୍ତପୁର ଗ୍ରାମବାସୀ । କହିଛନ୍ତି, ଗାଁର ମଦ୍ୟପାନ କଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୨୦ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।
ସରକାର ରାଜସ୍ୱ ଆଦାୟ ଲକ୍ଷ୍ୟରେ ଗାଁ ଠାରୁ ସହର ଯାଏଁ ମଦଦୋକାନ ଖୋଲି ଚାଲିଛନ୍ତି । ହେଲେ ବସନ୍ତପୁର ଗ୍ରାମବାସୀ ମଦୁଆଙ୍କୁ ସାବାଡ଼ କରିବା ପାଇଁ ଅଂଟା ଭିଡ଼ିଛନ୍ତି । ବସନ୍ତପୁର ଗାଁର ମହିଳା ଏବଂ ପୁରଷମାନେ ଏକ ହୋଇ ନିଶା ନିବାରଣ ଅଭିଯାନ ଆରମ୍ଭ କରିଛନ୍ତି    ।

ମଦ ପିଇ ଗାଁର ଯୁବକମାନେ ପଥଭ୍ରଷ୍ଟ ହେଉଥିବା ବେଳେ ସେମାନଙ୍କୁ ପୁନର୍ବାର ସମାଜର ମୁଖ୍ୟସ୍ରୋତରେ ସାମିଲି କରିବା ପାଇଁ ଗ୍ରାମବାସୀ ଉଦ୍ୟମ କରୁଛନ୍ତି ।