କନକ ବ୍ୟୁରୋ : ସିଧାସଳଖ ଟ୍ୟାପରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ପ୍ରଥମଥର ପାଇଁ ପୁରୀରେ ଆରମ୍ଭ ହୋଇଥିଲା ମହତ୍ତ୍ବାକାଂକ୍ଷୀ ଯୋଜନା ‘ଡ୍ରିଙ୍କ୍ ଫ୍ରମ ଟ୍ୟାପ୍’। ଶ୍ରୀକ୍ଷେତ୍ରକୁ ଆସୁଥିବା ପର୍ଯ୍ୟଟକ ଓ ଯାତ୍ରୀମାନଙ୍କୁ ଦୃ୍ଷ୍ଟିରେ ରଖି ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ସ୍ଥାପନ ହୋଇଥିଲା ଉନ୍ନତମାନର ଓ ଡିଜାଇନର ଟ୍ୟାପ୍। ତେବେ ପ୍ରକଳ୍ପ ଉଦଘାଟନକୁ ୫ ମାସ ପୂରି ନ ଥିବାବେଳେ ଅଧିକାଂଶ ଟ୍ୟାପ୍ ଗାଏବ ହୋଇଗଲାଣି। ସାଇନ୍ ବୋର୍ଡ ଅଛି, କିନ୍ତୁ ସେଠି ଆଉ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପର ବ୍ୟବସ୍ଥା ନାହିଁ। ସବୁଠୁ ବଡ଼ ବିଡ଼ମ୍ବନା ଏହି ଯେ, ଯେଉଁଠି ବି ଏହି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ସେଥିମଧ୍ୟରୁ ୯୦ ପ୍ରତିଶତ କ୍ୟାବିନ୍ ଆଢୁଆଳରେ ରହିଯାଇଛି। ତେଣୁ ବ୍ୟବସ୍ଥା କରାଯାଇଥିଲେ ହେଁ ଟ୍ୟାପ୍ ଦିଶୁନଥିବାରୁ ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ।
ସୁଜଳ ପ୍ରକଳ୍ପ ଜରିଆରେ ଲଣ୍ଡନ, ଲସଆଞ୍ଜେଲ୍ସ, ସିଙ୍ଗାପୁର ଭଳି ବିଶ୍ବର ବଡ଼ ସହରମାନଙ୍କ ଭଳି ପୁରୀରେ ଏହି ସୁବିଧା ଉପଲବ୍ଧ ହେଉଛି। ଘରକୁ ପାନୀୟ ଜଳ ସଂଯୋଗ ସହ ମିଟର ସ୍ଥାପନ କରାଯାଇ ଏହି ପାନୀୟ ଜଳ ଯୋଗାଇ ଦିଆଯାଉଛି। ତେବେ ପର୍ଯ୍ୟଟକମାନେ ଯେପରି ଏଥିରୁ ଉପକୃତ ହେବେ ସେଥିପାଇଁ ବଡ଼ଦାଣ୍ଡରେ ଉଭୟ ପାର୍ଶ୍ବରେ ୪୦୦ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପର ବ୍ୟବସ୍ଥା ହୋଇଥିଲା। ପୁରୀକୁ ପ୍ରତି ବର୍ଷ ପ୍ରାୟ ୨ କୋଟି ପର୍ଯ୍ୟଟକ ଆସୁଥିବାରୁ ସେମାନେ ପାଣି ବୋତଲ କିଣି ବ୍ୟବହାର କରୁଥିବାରୁ ଟନଟନ୍ ପ୍ଲାଷ୍ଟିକ ବର୍ଜ୍ୟ ସୃଷ୍ଟିହେଉଛି। ତେଣୁ ବର୍ଷକୁ ସୃଷ୍ଟି ହେଉଥିବା ପ୍ରାୟ ୪ଶହ ମେଟ୍ରିକ୍ ଟନ୍ ପ୍ଲାଷ୍ଟିକ୍ ଆବର୍ଜନାରୁ ସହରକୁ ମୁକୁଳାଇବା ପାଇଁ ବଡ଼ଦାଣ୍ଡରେ ଏହି ଟ୍ୟାପ୍ ଲଗାଯାଇଛି। ମାତ୍ର ଅଧିକାଂଶ ଟ୍ୟାପ୍ ଆଢ଼ୁଆଳରେ ରହିଥିବାରୁ ପର୍ଯ୍ୟଟକଙ୍କ ନଜରରେ ପଡ଼ୁନାହିଁ। ତେଣୁ ଏବେ ବି ପର୍ଯ୍ୟଟକମାନେ ପାଣି ବୋତଲ କିଣି ପିଉଛନ୍ତି। ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏକ ସାଇନ୍ ବୋର୍ଡ ଲଗାଯାଇଛି, କିନ୍ତୁ ତାହା ଦୃଶ୍ୟମାନ ହେଉନାହିଁ। ଫଳରେ କୋଟିକୋଟି ଟଙ୍କା ବିନିମୟରେ ନିର୍ମିତ ଏହି ଟ୍ୟାପର ପ୍ରକୃତ ଉପଯୋଗିତା ସାଧିତ ହେଉନାହିଁ।
ଏନେଇ ପ୍ରକଳ୍ପର ସହକରୀ ଯନ୍ତ୍ରୀ କମଳାକାନ୍ତ ବେହେରା କହିଛନ୍ତି, ଟ୍ୟାପ୍ ବକ୍ସଗୁଡ଼ିକ ପଲିସି କରିବା ପାଇଁ ଖୋଲାଯାଇଛି। ଏହାବ୍ୟତୀତ କିଛି ଯାନ୍ତ୍ରିକ ତ୍ରୁଟି ସଜାଡ଼ିବା ଉଦ୍ଦେଶ୍ୟରେ ଏସବୁ ଖୋଲାଯାଇଥିବା ବେଳେ ଖୁବ୍ଶୀଘ୍ର ପୁଣି ସ୍ଥାପନ ହେବ ବୋଲି ସେ କହିଛନ୍ତି। ପ୍ରକଳ୍ପକୁ ୫ ମାସ ପୂରିନାହିଁ, କିନ୍ତୁ ଏଥିରେ ବି ତ୍ରୁଟି ପରିଲକ୍ଷିତ ହେଲାଣି। ଏହି ପ୍ରକଳ୍ପ ପାଇଁ ସଭିଏଁ ବାଃ ବାଃ ନେଲେ, କିନ୍ତୁ ବଡ଼ଦାଣ୍ଡରେ ଆଜିଯାଏ ଏ ପ୍ରକଳ୍ପର ମୁଣ୍ଡି ମାରିପାରିଲେ ନାହିଁ।