କନକ ବ୍ୟୁରୋ: ଜାଲ୍ ନୋଟର ମାୟାଜାଲ । ଖୋର୍ଦ୍ଧା ଷ୍ଟେସନରୁ ଜବତ ହେଲା ପୁଳା ପୁଳା ଜାଲ ନୋଟ୍ । ପାଖାପାଖି ୩ ଲକ୍ଷରୁ ଅଧିକ ଟଙ୍କାର ଜାଲ ନୋଟ୍ ଜବତ ହୋଇଛି । କାମାକ୍ଷା-ଯଶୋବନ୍ତପୁର ଏକ୍ସପ୍ରେସରୁ ୧୫୦ଟି ୨ ହଜାର ଟଙ୍କିଆ ନୋଟ୍ ଜବତ ହୋଇଥିବା ସୂଚନା ମିଳିଛି । ଷ୍ଟେସନରେ ଡିଆରଆଇଙ୍କ ଦ୍ୱାରା ଏହି ଜାଲ୍ ନୋଟ୍ ଜବତ ହୋଇଛି । ଏହି ସବୁ ନୋଟ୍ ବାଂଲାଦେଶରୁ ବେଙ୍ଗଳୁରୁକୁ ଚାଲାଣ ହେଉଥିବା ଜଣାପଡିଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖିବା ସହ ପଚରାଉଚରା ଜାରି ରହିଛି ।

Advertisment

publive-image

ମିଳିଥିବା ସୂଚନା ଅନୁଯାୟୀ, କାମାକ୍ଷା- ଯଶୋବନ୍ତପୁର ଟ୍ରେନରେ ଚୋରା ଟଙ୍କା ବେଙ୍ଗାଲୁରକୁ ଚାଲାଣ ହେଉଥିବା ନେଇ ଡିଆରଆଇଙ୍କୁ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଟ୍ରେନଟି ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ପହଞ୍ଚିବା ପରେ ନିର୍ଦ୍ଦିଷ୍ଟ ବଗିରେ ଡିଆରଆଇ ଟିମ୍ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ବ୍ୟାଗ୍ ତନଖି କରିଥିଲେ। ତନଖି ବେଳେ ସେଥିରେ ୧୫୦ଟି ନକଲି ବା ଜାଲି ୨ ହଜାର ଟଙ୍କିଆ ନୋଟ୍ ଥିବା ଜଣାପଡ଼ିଥିଲା। ଏହି ଜାଲ ନୋଟକୁ ଜବତ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ନେଇ ଡିଆରଆଇ ଟିମ୍ ଭୁବନେଶ୍ୱର ଆସିଛି। ଜାଲ ନୋଟର ଚେର ଖୋଜିବା ପାଇଁ ଡିଆରଆଇ ଟିମ୍ ଉଦ୍ୟମ ଚଳାଇଛନ୍ତି।