ନୂଆ ଘର ନିର୍ମାଣ ପାଇଁ ଦୁଇ ବର୍ଷ ହେଲା ଭଙ୍ଗା ଚାଲିଛି ବିଧାୟକ କଲୋନୀ । ହେଲେ ଅନୁମୋଦନ ହେଉନି ଖର୍ଚ୍ଚଦାବି ।

195

କନକ ବ୍ୟୁରୋ : ବିଧାୟକଙ୍କ ପାଇଁ ଏମଏଲଏ କଲୋନୀରେ ବହୁତଳ ବିଶିଷ୍ଟ ପ୍ରାସାଦ ନିର୍ମାଣ ହେବ, ଯେଉଁଥିରେ ରହିବ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା । ଏମିତି ନକ୍ସା ଆଙ୍କିଥିଲେ ରାଜ୍ୟ ସରକାର । ଏଥିପାଇଁ ପୂର୍ବରୁ ଥିବା ପ୍ରାୟ ଅଧା ଏମଏଲଏ କ୍ୱାର୍ଟରକୁ ଭାଙ୍ଗି ଦିଆଯାଇଥିଲା । କିନ୍ତୁ ଟଙ୍କା ଅଭାବରୁ ଆଗେଇ ପାରୁନି ପ୍ରକଳ୍ପ କାର୍ଯ୍ୟ ।

ରାଜଧାନୀର କେନ୍ଦ୍ରରେ ଥିବା ଏମଏଲଏ କଲୋନୀ । ବିଧାୟକଙ୍କ ପାଇଁ ବ୍ୟବହାର ହେଉଥିବା ପୁରୁଣା ଆବାସିକ କଲୋନୀକୁ ଭାଙ୍ଗି ଏଠାରେ ବହୁତଳ ପ୍ରାସାଦ ନିର୍ମାଣ କରାଯାଇ ବିଧାୟକଙ୍କୁ ପ୍ରଦାନ କରାଯିବ ବୋଲି ଦୁଇ ବର୍ଷ ତଳେ ସରକାର ନିଷ୍ପତି ନେଇଥିଲେ । ଆଉ ଏଥିପାଇଁ ଅଧା ଘରକୁ ଭାଙ୍ଗି ମଧ୍ୟ ଦିଆଯାଇଥିଲା ।

ଦୁଇ ବର୍ଷ ପରେ ପୁଣି ବିଧାୟକଙ୍କୁ ସରକାରୀ ବାସଗୃହ ଯୋଗାଇବାକୁ ଆରମ୍ଭ ହୋଇଛି ଉଦ୍ୟମ । କିନ୍ତୁ ଟଙ୍କା କେଉଁ ବିଭାଗ ଖର୍ଚ୍ଚ କରିବ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ, ପ୍ରକଳ୍ପ ପାଇଁ ପୂର୍ତ ବିଭାଗ ଆକଳନ କରିଥିବା ୨୭୫ କୋଟି ଟଙ୍କା ଦେବାକୁ ମନା କରିଦେଇଛି ସଂସଦୀୟ ବ୍ୟାପାର ବିଭାଗ । କଲୋନୀରେ ଥିବା ୪୦ଟି କ୍ୱାର୍ଟର ଭାଙ୍ଗି ସମସ୍ତ ଆଧୁନିକ ବ୍ୟବସ୍ଥା ସହ ଦୁଇଟି ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ନିଷ୍ପତି ନିଆଯାଇଥିଲା । ୯ ମହଲା ଓ ୧୦ ମହଲା ବିଶିଷ୍ଟ ଦୁଇଟି ଟାୱାରରେ ୧୦୫ଟି ୭ବଖରା ଓ ୨୫ଟି ୬ ବଖରାର ଫ୍ଲାଟ ରହିଥାନ୍ତା । ଏବେ ଏହି ପ୍ରକଳ୍ପର ବାସ୍ତବତା ନେଇ ପ୍ରଶ୍ନ ଉଠିଛି ।

ପ୍ରାଥମିକ ପର୍ଯ୍ୟାୟରେ ପୂର୍ତ୍ତ ବିଭାଗକୁ ଏଥିପାଇଁ ୭୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । କିନ୍ତୁ ଏବେ ସଂସଦୀୟ ବ୍ୟାପାର ବିଭାଗ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବା ପରେ ବାଚସ୍ପତି ବୈଠକ ଡାକି ଅନ୍ୟ ହେଡ୍ ଅଫ ଆକାଉଣ୍ଟରେ ୫୦ କୋଟି ଦେବା ପାଇଁ ପୂର୍ତ୍ତ ବିଭାଗକୁ ପ୍ରତିଶ୍ରୁତି ଦେଇଛନ୍ତି ।

ପୂର୍ବରୁ ଏହି ପ୍ରକଳ୍ପ ପାଇଁ ପୂର୍ତ ବିଭାଗ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରିଥିଲା । ବାଚସ୍ପତି ମଧ୍ୟ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତେବେ ବିଧାନସଭା ଖର୍ଚ୍ଚର ଅଡିଟ ହେଉ ନଥିବାରୁ ଏହି ପ୍ରକଳ୍ପରୁ କିଛି ଅଧିକାରୀ ଫାଇଦା ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି । ସମସ୍ତ ଆଧୁନିକ ବ୍ୟବସ୍ଥା ଥାଇ ଏତିକି ବଖରା ବିଶିଷ୍ଟ ଫ୍ଲାଟ ପାଇଁ ରାଜଧାନୀରେ ବିଲ୍ଡର ବିକୁଥିବା ଦରଠାରୁ ଏହି ପ୍ରକଳ୍ପରେ ଦିଆଯିବାକୁ ଥିବା ଫ୍ଲାଟର ଦର ଢେର ଅଧିକ । କିନ୍ତୁ ଏଠାରେ ପୂର୍ବରୁ ପ୍ରକଳ୍ପ ପାଇଁ ଜାଗା ରହିଥିବାରୁ ଫ୍ଲାଟ ମୂଲ୍ୟକୁ ଦେଖିଲେ, ଦୁର୍ନୀତିର ଗନ୍ଧ ବାରି ହେଉଥିବା ଅଭିଯୋଗ ହେଉଛି ।