ବିଶ୍ୱକପ ପାଇଁ ଭାରତୀୟ କ୍ୟାମ୍ପକୁ ଫେରିଲେ କାର୍ତ୍ତିକ । ୧୨ ବର୍ଷ ପରେ ମିଳିଲା ସୁଯୋଗ ।

218

କନକ ବ୍ୟୁରୋ : ବିଶ୍ୱକପ ପାଇଁ ଘୋଷଣା ସରିଛି ଯୋଦ୍ଧାଙ୍କ ନାମ । ଭାରତୀୟ କ୍ରିକେଟ ଦଳର ଅନୁଭବୀ ୱିକେଟକିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ବିଶ୍ୱକପ ପାଇଁ ଟିକେଟ୍ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଟିମରେ ଚୟନ ହେବା, ତାଙ୍କ ପାଇଁ ଏକ ସ୍ୱପ୍ନ ଥିଲା, ଯାହା ସତ ହୋଇଛି । ତେବେ ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ଦିନେଶ କାର୍ତ୍ତିକ ବିଶ୍ୱକପ ଦଳରେ ସ୍ଥାନ ପାଇଛନ୍ତି ।

ଦିନେଶକୁ ମିଳିଲା ସୁଯୋଗ । ବାଦ୍ ପଡିଲେ ରିଷଭ ପନ୍ଥ । ମହେନ୍ଦ୍ର ସିଂ ଧୋନୀଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆର ୱିକେଟକିପର କିଏ ହେବ, ସେନେଇ ବେଶ୍ ଚର୍ଚ୍ଚା କରିଥିଲେ ଚୟନକର୍ତ୍ତା । ଯୁବ ୱିକେଟକିପର ଋଷଭ ପନ୍ଥଙ୍କୁ ଦଳରେ ସାମିଲ କରାଯାଇନଥିବା ବେଳେ ଦିନେଶ କାର୍ତ୍ତିକଙ୍କ ଅଭିଜ୍ଞତା ତାଙ୍କୁ ବିଶ୍ୱକପ୍ ପାଇଁ ଟିକେଟ ଆଣିଦେଇଛି । ବିଶ୍ୱକପ ପାଇଁ ଚୟନ ହେବା ପରେ ସୋମବାର ରାତିରେ ନିଜ ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସର ୱେବସାଇଟରେ ଦିନେଶ କାର୍ତ୍ତିକ କହିଛନ୍ତି, ସେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି । ବିଶ୍ୱକପ ଟିକେଟ୍ ପାଇବା ତାଙ୍କ ପାଇଁ ସ୍ୱପ୍ନ ସାକାର ହେବା ସଙ୍ଗେ ସମାନ ।

ତେବେ ସବୁଠାରୁ ବଡ କଥା ହେଉଛି, ଦାର୍ଘ ୧୨ ବର୍ଷ ପରେ ପୁଣି ଥରେ ବିଶ୍ୱକପ ଦଳରେ ସାମିଲ ହୋଇଛନ୍ତି ଦିନେଶ କାର୍ତ୍ତିକ । ୨୦୦୭ ବିଶ୍ୱକପ ସମୟରେ ତାଙ୍କୁ ଧୋନୀଙ୍କ ବିକଳ୍ପ ରୂପେ ଦଳରେ ସାମିଲ କରାଯାଇଥିଲା । କିନ୍ତୁ ସେତେବେଳେ ତାଙ୍କୁ ମ୍ୟାଚ ଖେଳିବାର ସୁଯୋଗ ମିଳିନଥିଲା । ଏହାପରେ ୨୦୧୧ ଏବଂ ୨୦୧୫ ବିଶ୍ୱକପ ଦଳରେ ତାଙ୍କୁ ଚୟନ କରିନଥିଲେ ଚୟନକର୍ତ୍ତା । ଶେଷରେ ୨୦୧୯ ବିଶ୍ୱକପ ପାଇଁ ଦିନେଶ କାର୍ତ୍ତିକଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି ।