କନକ ବ୍ୟୁରୋ : କଟକରେ ପୁଲିସ-ଅପରାଧୀ ଏନକାଉଣ୍ଟର । ଗୁଳିମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଆହତ ।  ୨୦୧୪ ମସିହା ନଭେମ୍ବର ୧୧ ତାରିଖରେ ଘଟିଥିବା ଫାରୁକ ହତ୍ୟାଘଟଣାର ଅଭିଯୁକ୍ତ ହେଉଛି ଶଙ୍କର। ରାଣୀହାଟ ଗୋପାଳ ସାହି ବାସିନ୍ଦା ଶଙ୍କର ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇଙ୍କ ସାର୍ପସୁଟର୍ ଭାବେ ପରିଚିତ। ଘଟଣାର ୭ ବର୍ଷପରେ ଅର୍ଥାତ୍‌ ୨୦୨୧ ସେପ୍ଟେମ୍ବର ୧ ତାରିଖରେ ମାଲଗୋଦାମ ଥାନା ପୁଲିସ ଶଙ୍କରକୁ ଗିରଫ କରିଥିଲା । ଗିରଫ ପରେ ତାକୁ ଚୌଦ୍ବାର ସର୍କଲ ଜେଲ୍‌କୁ ପଠାଇ ଦିଆଯାଇଥିଲା । ତେବେ, ଜେଲ୍‌ରୁ ଫେରିବା ପରେ ପୁଣି ବନ୍ଧୁକ କାରବାର ଭଳି ଅପରାଧିକ କାର୍ଯ୍ୟକଳାପରେ ଶଙ୍କରର ସମ୍ପୃକ୍ତି ସାମ୍‌ନାକୁ ଆସିଥିଲା ।

Advertisment

ସେ ଭୁଆଶୁଣି ପଠା ନିକଟ ରାସ୍ତାରେ ଏକ ଅଟୋରେ ବନ୍ଧୁକ ବିକ୍ରି କରିବାକୁ ଯାଇଥିବା ନେଇ ପୁଲିସ ଖବର ପାଇଥିଲା । ଉଭୟ ବିଡ଼ାନାସୀ ଥାନା ପୁଲିସ ଓ ସ୍ପେଶାଲ ସ୍କ୍ବାଡ ଟିମ୍ ତାକୁ ଧରିବାକୁ ଉଦ୍ୟମ କରିଥିଲେ । କିନ୍ତୁ, ସେ ପଡ଼ିଆ ଭିତରକୁ ଚାଲିଯାଇଥିଲା। ସେଠାରେ ପୁଲିସ ସହିତ ଶଙ୍କରର ମୁହାମୁଁହି ହୋଇଥିଲା । ଶଙ୍କର ସେଠାରେ ପ୍ରଥମେ ପୁଲିସ ଉପରକୁ ଦୁଇରାଉଣ୍ଡ ଗୁଳିଚାଳନା କରିଥିଲା । ଜୀବନ ବଞ୍ଚାଇବାକୁ ଯାଇ ପୁଲିସ ସର୍ଭିସ ପିସ୍ତଲରୁ ପାଲଟା ଗୋଟିଏ ରାଉଣ୍ଡ ଗୁଳିମାଡ଼ କରିଥିଲା । ପୁଲିସ ଗୁଳି ଶଙ୍କରର ବାମଗୋଡ଼ର ଆଣ୍ଠୁରେ ବାଜିବାରୁ ସେ ସେଠାରେ ପଡ଼ିଯାଇଥିଲା । ପୁଲିସ ଶଙ୍କର ନିକଟକୁ ଗୋଟିଏ ପିସ୍ତଲ, ଜୀବନ୍ତ ଗୁଳି ଓ ଅଟୋ ଜବତ କରିଥିବା ସୂଚନା ମିଳିଛି ।