ପୁଣି ଡିଆରଡିଓର ପାକିସ୍ତାନ ଲିଙ୍କ ! ଗୁଇନ୍ଦାଗିରି ଅଭିଯୋଗରେ ୪ ଗିରଫ ।

275

କନକ ବ୍ୟୁରୋ: ୨୦୧୪ ମସିହାରେ ଈଶ୍ୱର ବେହେରା ଗିରଫ ହେବାପରେ, ପୁଣି ଚାନ୍ଦିପୁର ଡିଆରଡିଓରୁ ପାକିସ୍ତାନକୁ ଗୁପ୍ତ ସୂଚନା ପ୍ରଦାନ ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଆଉ ଦେଶଦ୍ରୋହ ମାମଲାରେ ୪ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ଚାନ୍ଦିପୁର ପୋଲିସ । ଏମାନଙ୍କ ବିରୋଧରେ ଆଇପିସିର ଧାରା ୧୨୦- ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର, ୧୨୧-ଏ ଅର୍ଥାତ ଦେଶଦ୍ରୋହ, ଆଇପିସିର ଧାରା ୩୪ ଅର୍ଥାତ ମିଳିତ ଭାବେ ଅପରାଧ ଘଟାଇବା ପାଇଁ ଷଡଯନ୍ତ୍ର କରିବା ଏବଂ ସରକାରୀ ଗୋପନୀୟତାକୁ କ୍ଷୁର୍ଣ୍ଣ କରିବା ବା ଗୁଇନ୍ଦାଗିରି କରିବା ଭଳି ପାଇଁ ଭଳି ମାମଲା ଲଗାଯାଇଛି ।

ତେବେ ପୋଲିସର କହିବା ହେଲା ବାଲେଶ୍ୱର ଚାନ୍ଦିପୁରରେ ଥିବା ଭାରତୀୟ ଗବେଷଣା ପ୍ରତିଷ୍ଠାନରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଶତ୍ରୁ ରାଷ୍ଟ୍ର ହାତକୁ ଟେକି ଦେଇଥିଲେ ଏମାନେ । ପାକିସ୍ତାନର ଏଜେଣ୍ଟ ଭାବେ କାମ କରୁଥିବା କିଛି ଲୋକଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ହସ୍ତାନ୍ତର କରାଯାଇଛି । ଆଉ ଏଥିପାଇଁ ବିପୁଳ ପରିମାଣର ଟଙ୍କା ହାସଲ କରିଛନ୍ତି ୪ ଷଡଯନ୍ତ୍ରକାରୀ ।

ସୂଚନାଯୋଗ୍ୟ ଯେ, ୨୦୧୪ରେ ଗୁଇନ୍ଦାଗିରି ଅଭିଯୋଗରେ ଈଶ୍ୱର ବେହେରା ଗିରଫ ହେବାପରଠାରୁ ପୋଲିସ ଅଧିକ ସତର୍କ ହୋଇଥିଲା । ବିଶେଷ କରି ବିଦେଶକୁ ଫୋନକଲ ଉପରେ ନଜର ରଖାଯାଉଥିଲା । ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇଥିବା ୪ ଜଣ ବାରମ୍ବାର ଆଇଏସଡି କଲ କରିଥିବାରୁ ସେମାନଙ୍କ ଉପରେ ସନ୍ଦେହ ବଢିଥିଲା ।