ଡିଆରଡିଓ ପକ୍ଷରୁ ବିକଶିତ କରୋନା ଔଷଧ ‘ଟୁ-ଡିଜି’ର ଶୁଭାରମ୍ଭ : ଆକ୍ରାନ୍ତଙ୍କ ଶରୀରରେ ଭୂତାଣୁ ବୃଦ୍ଧିକୁ ରୋକିବା ସହ ଅକ୍ସିଜେନ ଆବଶ୍ୟକତାକୁ କମାଇବ ଦେଶୀ ଔଷଧ

248

କନକ ବ୍ୟୁରୋ : ଡିଆରଡିଓ ପକ୍ଷରୁ ବିକଶିତ ସ୍ୱଦେଶୀ କରୋନା ଔଷଧ ‘୨-ଡିଜି’ର ଶୁଭାରମ୍ଭ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ଉପସ୍ଥିତ ଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ଟର ହର୍ଷବର୍ଦ୍ଧନ । କରୋନା ଆକ୍ରାନ୍ତଙ୍କୁ ଦିଆଯାଉଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନ ଓ ଆଇଭରମେକ୍ଟିନ ଔଷଧକୁ ନେଇ ବିବାଦ ଭିତରେ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘୨-ଡିଜି’ ଔଷଧର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ଏହା ଆକ୍ରାନ୍ତଙ୍କୁ ଶୀଘ୍ର ସୁସ୍ଥ କରିବା ସହ ଅକ୍ସିଜେନ୍ ନିର୍ଭରତାକୁ କମାଇବା ବୋଲି ଦାବି କରାଯାଇଛି । ଡକ୍ଟର ରେଡିସ୍ ଲାବୋରେଟୋରିଜ୍ ସହ ମିଳିତ ଭାବେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଂଟ ଅର୍ଗାନାଇଜେସନ୍- ଡିଆରଡିଓ ଏହି ଔଷଧ ତିଆରି କରିଛି ।

ଆଜି ଦିଲ୍ଲୀରେ ଏହି ଔଷଧର ୧୦ ହଜାର ଡୋଜ୍ ବଂଟନ କରାଯିବ । ଦିଲ୍ଲୀର କିଛି ହସପିଟାଲରେ ଏହାକୁ ଦିଆଯିବ । ‘ଟୁ-ଡିଅକ୍ସି-ଡି-ଗ୍ଲୁକୋଜ୍’ ବା ‘ଟୁ-ଡିଜି’ ନାମକ ଏହି ଔଷଧ କରୋନା ଚିକିତ୍ସାରେ ବେଶ ଉପଯୋଗୀ ହେବ ବୋଲି କୁହାଯାଇଛି । କରୋନା ବିରୋଧରେ ଲଢ଼ିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବାବେଳେ, ଏହାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଦେଶର ଔଷଧ ନିୟାମକ- ଡିସିଜିଆଇ । ଦ୍ୱିତୀୟ ଓ ତୃତୀୟ କ୍ଲିନିକାଲ ଟ୍ରାଏଲରେ ଏହା ଫଳପ୍ରଦ ହୋଇଥିବା ସୂଚନା ମିଳିଛି । ବିଶେଷ କରି ହସପିଟାଲରେ ରୋଗୀଙ୍କ ରହଣୀ ସମୟକୁ ଏହି ଔଷଧ କମାଇ ଥାଏ । ଏବଂ ଅକ୍ସିଜେନ୍ ଉପରେ ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରିଥାଏ । ଏହି ମେଡିସିନ୍ ପାଉଡର ଆକାରରେ ମିଳେ, ଏହାକୁ ପାଣିରେ ମିଶାଇ ରୋଗୀଙ୍କୁ ଦିଆଯାଇଥାଏ ।

ଜାଣନ୍ତୁ ଏହି ଔଷଧ କିଭଳି କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବାରେ ସହାୟକ ହେବ ଓ ଅକ୍ସିଜେନ୍ ନିର୍ଭରଶୀଳତାକୁ କମାଇ ପାରିବ ?

– ଶରୀରରେ ଟ୍ୟୁମର ଓ କ୍ୟାନସର ସେଲକୁ ଚିକିତ୍ସା କରିଥାଏ ୨-ଡିଜି ମଲିକ୍ୟୁଲ
– ଏହି ଔଷଧ ଏକ ଗ୍ଲୁକୋଜ ଆନାଲୋଗ ଅର୍ଥାତ ଗ୍ଲୁକୋଜ ପରି ଦେଖାଯାଉଥିଲେ ମଧ୍ୟ ଗ୍ଲୁକୋଜ ନୁହେଁ
– ଆକ୍ରାନ୍ତଙ୍କ ଶରୀରରେ କରୋନା ଭୂତାଣୁ ବୃଦ୍ଧି ପାଇଁ ଗ୍ଲୁକୋଜରୁ ବଳ ସଂଗ୍ରହ କରିଥାଏ
– ତେଣୁ କରୋନା ଆକ୍ରାନ୍ତଙ୍କୁ ୨-ଡିଜି ଦିଆଗଲେ ଏହା ଧୋକା ଖାଇଯିବ ଏବଂ ଗ୍ଲୁକୋଜ ଆନାଲୋଗକୁ ଗ୍ଲୁକୋଜ ବୋଲି ଭାବିବ
– ୨-ଡିଜି ମଲିକ୍ୟୁଲ ସଂସ୍ପର୍ଷରେ ଆସିଲେ ଆକ୍ରାନ୍ତଙ୍କ ଶରୀରରେ କରୋନା ଭୂତାଣୁ ଆଉ ବୃଦ୍ଧି ପାଇବ ନାହିଁ
– ଆକ୍ରନ୍ତଙ୍କ ଶରୀରରେ କରୋନା ଭୂତାଣୁ ବୃଦ୍ଧି ପାଇଲେ ରୋଗୀଙ୍କୁ ଅଧିକ ଅକ୍ସିଜେନ୍ ଆବଶ୍ୟକ ପଡିଥାଏ
– ୨-ଡିଜି ଔଷଧ ଭୂତାଣୁର ବୃଦ୍ଧିକୁ ରୋକିଦେଲେ ଆକ୍ରାନ୍ତଙ୍କ ଶରୀରରେ ଅକ୍ସିଜେନ ଅଭାବ ମଧ୍ୟ କମିପାରିବ