କନକ ବ୍ୟୁରୋ : ଚାନ୍ଦିପୁର ଆଇଟିଆର ତଥ୍ୟ ଚୋରି ମାମଲାରେ ସାମ୍ନାକୁ ଆସିଲା ଆଉ ଏକ ତଥ୍ୟ । ଚାନ୍ଦିପୁର ଆଇଟିଆର୍ ନିର୍ଦ୍ଦେଶକଙ୍କ ସମସ୍ତ ଗତିବିଧି ଉପରେ ପାକିସ୍ତାନରୁ ନଜର ରଖାଯାଇଥିବା ଭଳି ଘଟଣା ଏବେ କ୍ରାଇମବ୍ରାଞ୍ଚ ତଦନ୍ତରୁ ସାମ୍ନାକୁ ଆସିଛି । ନିର୍ଦ୍ଦେଶକଙ୍କ ଗାଡ଼ି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଉତ୍ତରପ୍ରଦେଶର ସଚିନ କୁମାର ଛେତା ମାଧ୍ୟମରେ ଏଭଳି ନଜର ରଖାଯାଉଥିଲା । ଧରାପଡ଼ିଥିବା ଅଭିଯୁକ୍ତମାନେ ସଂପୃକ୍ତ ସନ୍ଦିଗ୍ଧ ମହିଳାଙ୍କ ସହିତ କଥା ହେବାପାଇଁ ନୂଆ ସିମ୍ କାର୍ଡ କିଣିଥିଲେ । ଧରାପଡ଼ିଲେ ଯେଭଳି ଟ୍ରାକ୍ ନ ହେବେ ସେଥିପାଇଁ ସେମାନେ ବେଶ୍ ସତର୍କ ଥିବା କୁହାଯାଉଛି । କଥାବାର୍ତ୍ତା ହେବା ଭିତରେ ପାକିସ୍ତାନୀ ମହିଳା ଏଜେଣ୍ଟ ଜଣେ ଅଭିଯୁକ୍ତଙ୍କ ମୋବାଇଲ୍ ହ୍ୟାକ୍ କରି ଦେଇଥିଲା । ୮ ମାସ ଧରି ମୋବାଇଲ ହ୍ୟାକ୍ କରଯାଇଥିବା ଜଣାପଡ଼ିଛି । ହ୍ୟାକ୍ ଫଳରେ ଅଭିଯୁକ୍ତ ମୋବାଇଲ୍ କଥାବାର୍ତ୍ତାର ସମସ୍ତ ଅଡ଼ିଓ ପାକିସ୍ତାନୀ ଏଜେଣ୍ଟ ଶୁଣି ପାରୁଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି ।
ସୂଚନା ଅନୁଯାୟୀ, ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଚୋରି ମାମଲାରେ ଉତ୍ତରପ୍ରଦେଶର ସଚିନ ଉପରେ ପୂର୍ବରୁ ଯାହା ସନ୍ଦେହ କରାଯାଉଥିଲା, ଏବେ ତା’ଠାରୁ ବି ଅଧିକ କିଛି ସୂଚନା ମିଳୁଛି। ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ସହିତ ସଚିନର ଘନିଷ୍ଠ ସମ୍ପର୍କ ସାମ୍ନାକୁ ଆସିବାରେ ଲାଗିଛି । ସଚିନ୍ ସମେତ ଅନ୍ୟ ଅଭିଯୁକ୍ତମାନେ ପାକିସ୍ତାନୀ ମହିଳା ଏଜେଣ୍ଟର କହିବା ଅନୁଯାୟୀ ନୂଆ ସିମ୍ କାର୍ଡ କିଣି ତା’ ସହିତ କଥା ହେଉଥିଲେ । କଥାବାର୍ତ୍ତା ହେବାପାଇଁ ଏମାନେ ନିଜ ସିମ୍ କାର୍ଡ ବ୍ୟବହାର କରୁ ନଥିଲେ । ପାକିସ୍ତାନୀ ମହିଳା ଜଣକ ଭର୍ଚୁଆଲ୍ ନମ୍ବର ମାଧ୍ୟମରେ ଏହି ନୂଆ ନମ୍ବରକୁ ଫୋନ୍ କରୁଥିଲା। ଆଇଟିଆର ନିର୍ଦ୍ଦେଶକ କ୍ଷେପଣାସ୍ତ୍ର ସମ୍ପର୍କରେ ମୋବାଇଲରେ କଥାବାର୍ତ୍ତା ହେବା ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଚିନ୍ ମାଧ୍ୟମରେ ପାକିସ୍ତାନ ଚାଲି ଯାଇଥିବା କ୍ରାଇମବ୍ରାଞ୍ଚ ଆଶଙ୍କା କରୁଛି । ସଚିନ୍ ଆଇଟିଆରର ସ୍ଥାୟୀ କର୍ମଚାରୀ ଥିବାରୁ ଆଇଟିଆରର ପ୍ରାୟ ସମସ୍ତ ଅଞ୍ଚଳକୁ ସହଜରେ ପ୍ରବେଶ କରି ପାରୁଥିଲା । ତେଣୁ ବିଭାଗର ଭିତିରି ତଥ୍ୟ ସେ ଅନ୍ୟ ୪ ଜଣଙ୍କ ଅପେକ୍ଷା ଅଧିକ ସଂଗ୍ରହ କରି ପାକିସ୍ତାନ ପଠାଇଛି ।
ଅନ୍ୟପଟେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ ହନିଟ୍ରାପ୍ କରୁଥିବା ପାକିସ୍ତାନୀ ମହିଳା ଏଜେଣ୍ଟ ସାଧାରଣତଃ ପ୍ରତିରକ୍ଷା ବିଭାଗର କର୍ମଚାରୀଙ୍କୁ ଫସାଇବା ପରେ ସେମାନଙ୍କ ମୋବାଇଲ୍ ଓ ଲାପ୍ଟପ୍ରେ ଆପ୍ଲିକେସନ୍ ଡାଉନଲୋଡ୍ କରାଇ ସମ୍ପୂର୍ଣ୍ଣ ହ୍ୟାକ୍ କରି ଦିଅନ୍ତି । ଯାହାଫଳରେ ଉକ୍ତ ମୋବାଇଲ୍ ଓ କମ୍ପ୍ୟୁଟର ମାଧ୍ୟମରେ ପ୍ରତିରକ୍ଷା ବିଭାଗର ତଥ୍ୟ ଓ ମୋବାଇଲରେ ହେଉଥିବା କଥାବାର୍ତ୍ତା ଚୋରି କରିବା ସହଜ ହୋଇଥାଏ । ଆଇଟିଆର୍ କ୍ଷେତ୍ରରେ ହିଁ ସେୟା ହୋଇଛି। ଜଣେ ଅଭିଯୁକ୍ତଙ୍କ ମୋବାଇଲ ଗଲା ପ୍ରାୟ ୮ ମାସ ହେବ ହ୍ୟାକ୍ କରାଯାଇଥିଲା । ସମ୍ପୃକ୍ତ ଅଭିଯୁକ୍ତ ୮ ମାସ ଭିତରେ ଯାହା କିଛି କଥାବାର୍ତ୍ତା ହୋଇଛନ୍ତି ଏବଂ ମୋବାଇଲର ସମସ୍ତ ଯୋଗାଯୋଗ ନମ୍ବର ପାକିସ୍ତାନୀ ମହିଳା ଏଜେଣ୍ଟ ଚୋରି କରିନେଇଛି । ମୋବାଇଲ୍ ଓ କମ୍ପ୍ୟୁଟରରେ କି ପ୍ରକାର ଆପ୍ଲିକେସନ୍ ଡାଉନଲୋଡ୍ ହୋଇଥିବ, ସେ ନେଇ ରାଜ୍ୟ ଫରେନସିକ୍ ସାଇନ୍ସ ଲାବୋରେଟୋରୀ ଅନୁଧ୍ୟାନ ଚଳାଇଛି । ଫେସ୍ବୁକ ଓ ହ୍ବାଟସଆପକୁ କ୍ରାଇମବ୍ରାଞ୍ଚ ମହିଳାଙ୍କ ସମ୍ପର୍କିତ ତଥ୍ୟ ମାଗିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ହସ୍ତଗତ ହୋଇନାହିଁ । ୟୁକେ ନମ୍ବରର ସିଡିଆର୍ ଓ ପ୍ରକୃତ ମାଲିକାନା ସମ୍ପର୍କରେ ଇଣ୍ଟରପୋଲ୍ ସହିତ କ୍ରାଇମବ୍ରାଞ୍ଚ ଯୋଗାଯୋଗ କରିଥିବା ବେଳେ ସେପଟୁ କୌଣସି ତଥ୍ୟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇନଥିବା ବେଳେ ଏଥିପାଇଁ ଆଉ କିଛିଦିନ ସମୟ ଲାଗିବ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/7-38.jpg)