ଫିଟୁଛି ଗୁପ୍ତଚରଙ୍କ ଗୁମର: ୟୁପି ଦେଇ ଓଡିଶା ଆସୁଥିଲା ପାକିସ୍ତାନ ଟଙ୍କା

391

କନକ ବ୍ୟୁରୋ: ପାକିସ୍ତାନରୁ ଆସୁଥିଲା ଟଙ୍କା । ୟୁପି ଦେଇ ଓଡିଶା ଆସୁଥିଲା ଟଙ୍କା । ଚାନ୍ଦିପୁର ଗୁପ୍ତଚରଙ୍କୁ ରିମାଣ୍ଡରେ ନେଇ ଜେରା ଚାଲିଥିବା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପାକିସ୍ତାନୀ ଏଜେଣ୍ଟଙ୍କ ସହ ଏମାନେ କିଭଳି ସଂପର୍କ ସ୍ଥାପନ କଲେ ସେନେଇ ଅଧିକ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ଟଙ୍କା କାରବାର ବାବଦରେ ମଧ୍ୟ ତଦନ୍ତକାରୀ ସଂସ୍ଥା ହାତରେ ଅନେକ ତଥ୍ୟ ଲାଗିଥିବା କୁହାଯାଉଛି ।

ବିଶେଷ କରି ଉତ୍ତର ପ୍ରଦେଶରେ ଥିବା ପାକିସ୍ତାନୀ ଏଜେଣ୍ଟଙ୍କ ଜରିଆରେ ଟଙ୍କା ଚାନ୍ଦିପୁର ଗୁପ୍ତଚରଙ୍କ ପାଖକୁ ଆସିଛି । କୁହାଯାଉଛି ୟୁପିରେ ଥିବା ପାକିସ୍ତାନ ଏଜେଣ୍ଟଙ୍କ ପାଖକୁ ଟଙ୍କା ଆସୁଥିଲା । ଯାହା ବାଲେଶ୍ୱର ଚାନ୍ଦିପୁରରେ ରହି ପାକିସ୍ତାନ ପାଇଁ କାମ କରୁଥିବା ଏହି ଦେଶଦ୍ରୋହୀଙ୍କ ପାଖରେ ପହଞ୍ଚି ଯାଉଥିଲା । ସେହିପରି ବାଲେଶ୍ୱରରେ ଥିବା କିଛି ବାଂଲାଦେଶୀ ଶରଣାର୍ଥୀ ପାକିସ୍ତାନର ସ୍ଲିପର ସେଲ ଭଳି କାମ କରୁଥିଲେ ବୋଲି କ୍ରାଇମବ୍ରାଂଚ ସନ୍ଦେହ କରୁଛି । ଏମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପାକିସ୍ତାନରୁ ଟଙ୍କା ଆସିଛି । ଯାହା ଚାନ୍ଦିପୁର ଗୁପ୍ତଚରଙ୍କ ପାଖକୁ ଯାଇଛି । ତେବେ ନିର୍ଦ୍ଦିଷ୍ଟ କେତେ ଜଣଙ୍କ ଆକାଉଣ୍ଟକୁ ପାକିସ୍ତାନରୁ ଟଙ୍କା ଆସିଛି ସେନେଇ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ତଥ୍ୟ ମଗାଯାଇଛି ।

ତେବେ ଭାରତୀୟ ପ୍ରତିରକ୍ଷା ବିଭାଗର ବ୍ରହ୍ମାସ୍ତ୍ର କୁହାଯାଉଥିବା ବ୍ରହ୍ମୋସ ଏବଂ ଅନ୍ୟ କ୍ଷେପଣାସ୍ତ୍ରର ଗୋପନୀୟ ତଥ୍ୟ ପାକିସ୍ତାନ ହାତରେ ଲାଗିଥିବା କୁହାଯାଉଛି । ସେହି ଆଶଙ୍କାରେ ଚାନ୍ଦିପୁର ଗୁପ୍ତଚରଙ୍କୁ ଜେରା କରିବା ପାଇଁ କଟକ କ୍ରାଇମବ୍ରାଂଚ କାର୍ଯ୍ୟାଳୟରେ ପହଂଚିଛି ଭାରତୀୟ ବାୟୁସେନାର ଏକ ୩ ଜଣିଆ ଟିମ୍ । ବାୟୁସେନାର ବରିଷ୍ଠ ଅଧିକାରୀମାନେ ଭାରତୀୟ ପ୍ରତିରକ୍ଷା ବିଭାଗର ବିଭିନ୍ନ କ୍ଷେପଣାସ୍ତ୍ରର ଗୋପନୀୟ ତଥ୍ୟ ଲିକ ନେଇ ପଚରା ଉଚରା କରୁଥିବା ଜଣାପଡିଛି । କ୍ରାଇମବ୍ରାଂଚ ମଧ୍ୟ ଏ ବାବଦରେ ଅଧିକ ତଥ୍ୟ ହାସଲ ପାଇଁ ପ୍ରୟାସ ଚଳାଇଛି ।