କନକ ବ୍ୟୁରୋ : ଡିଆରଡିଓର ନିଆରା ପ୍ରୟାସ । ପ୍ରଥମ ଥର ପାଇଁ ରକେଟ୍ ବିଜ୍ଞାନ ଉପରେ ଆୟୋଜିତ ହେଲା ସ୍ପେସ୍ ଆଣ୍ଡ ସାଇନ୍ସ ଏକ୍ସପୋ । ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏହି ଏକ୍ସପୋରେ ବଢୁଛି ଛାତ୍ରଛାତ୍ରୀଙ୍କ ଭିଡ ।
ଡିଆରଡିଓର ନିଆରା ପ୍ରୟାସ । ଛାତ୍ରଛାତ୍ରୀ ଶିଖିବେ ରକେଟ ସାଇନ୍ସ । ପ୍ରଥର ଥର ପାଇଁ ଡିଆରଡିଓ ପକ୍ଷରୁ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଆୟୋଜନ କରାଯାଇଛି ସ୍ପେସ୍ ଆଣ୍ଡ ସାଇନ୍ସ ଏକ୍ସପୋ । ପୃଥୀ, ବ୍ରହ୍ମସୋ, ଅଗ୍ନି ଭଳି କ୍ଷେପଣାସ୍ତ୍ରର ମଡେଲ ଏବଂ ବ୍ୟବହାର ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଯାଉଛି । ଏହି ମିଶାଇଲ ଗୁଡିକର ଡେମୋ ଦେଖାଇ ଛାତ୍ରଛାତ୍ରୀଙ୍କୁ ଏହା ପଛରେ ଥିବା ଜ୍ଞାନ କୌଶଳ ବିଷୟରେ ବୁଝାଉଛନ୍ତି ଡିଆରଡିଓରୁ ଆସିଥିବା ତିନି ବୈଜ୍ଞାନିକ ।
ତିନି ଦିନ ଧରି ଚାଲିବାକୁ ଥିବା ଏହି ସ୍ପେସ ଆଣ୍ଡ ସାଇନ୍ସ ଏକ୍ସପୋରେ ଭିସୁଟ୍ ଏବଂ ପାଖ ସ୍କୁଲର କଲେଜର ଛାତ୍ରଛାତ୍ରୀଙ୍କ ଭିଡ ଲାଗୁଛି । ମିଶାଇଲ, ରକେଟ୍, ସବ ମେରାଇନର ଜ୍ଞାନ କୌଶଳ ଉପରେ ଜାଣିବା ପାଇଁ ଛାତ୍ରଛାତ୍ରୀ ମଧ୍ୟ ଉତ୍କଣ୍ଠା ପ୍ରକାଶ କରିଛନ୍ତି । ଭିସୁଟ୍ ଭାରତୀୟ ସ୍ପେସ ଗବେଷଣା କେନ୍ଦ୍ର (ଇସ୍ରୋ) ସହ ପୂର୍ବରୁ ଚୁକ୍ତି କରିଛି । ଛାତ୍ରଛାତ୍ରୀମାନେ ଏସବୁ ବିଷୟରେ ଅବଗତ ହେଲେ ସ୍ପେସ ସାଇନ୍ସ ସହ ଉଦ୍ଭାବନ ପ୍ରତି ମନ ବଳାଇବେ ବୋଲି ଆଶା କରାଯାଉଛି । ଡିଆରଡିଓର ଏହି ସ୍ୱତନ୍ତ୍ର ପ୍ରୟାସ ନିଶ୍ଚିତ ଭାବେ ଆଗାମୀ ଦିନରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ସ୍ପେସ୍ ବିଜ୍ଞାନ ଗବେଷଣା କ୍ଷେତ୍ରରେ ସହାୟକ ହେବ ।