ପାକିସ୍ତାନ ମହିଳାଙ୍କ ହନିଟ୍ରାପ! ଶତ୍ରୁ ଦେଶରୁ ଫୋନ୍ ଆସୁଥିଲା, ଓଡ଼ିଶାରୁ ଗୁପ୍ତ ତଥ୍ୟ ଯାଉଥିଲା । 

368

କନକ ବ୍ୟୁରୋ :  ଚାନ୍ଦିପୁର  କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ଘଟଣାରେ ସାଂଘାତିକ ତଥ୍ୟ  ସାମ୍ନାକୁ ଆସିଛି ।  ଏହା ପଛରେ ହନିଟ୍ରାପର ଲିଙ୍କ ୍ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ହନି ଟ୍ରାପ ଜରିଆରେ ହେଉଥିଲା ତଥ୍ୟ ଲିକ୍ । ପାକିସ୍ତାନର ଜଣେ ମହିଳାଙ୍କ ସହ ଗିରଫ ଠିକା କର୍ମଚାରୀ ଯୋଗାଯୋଗରେ ଥିଲେ । କଲ ରେକର୍ଡରେ  ମହିଳାଙ୍କ ସ୍ୱର ଥିବା ସୂଚନା ମିଳିଛି । ମହିଳାଙ୍କ ସହ ସମସ୍ତ ଅଭିଯୁକ୍ତଙ୍କ ସମ୍ପର୍କ ରହିଥିଲା । ଜଣକ ପରେ ଜଣେ ଏହି ମହିଳାଙ୍କ ସମ୍ପର୍କରେ ଆସିଥିଲେ । ଏପରିକି ମହିଳାଙ୍କ ସହ ଅଭିଯୁକ୍ତଙ୍କର ଟଙ୍କା ଦେଣନେଣ ହୋଇଥିବା ସୂଚନା ମିଳିଛି ।  ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତ୍ୟେକ ଦିନର କାର୍ଯ୍ୟର ତଥ୍ୟ ପାଇବା ଲାଗି  ବିଭିନ୍ନ ବାହାନାରେ ଟଙ୍କା ପଠାଉଥିବା ସୂଚନା ମିଳିଛି ।  ଗିରଫ ଅଭିଯୁକ୍ତମାନେ  ପାକିସ୍ତାନୀ ମହିଳାଙ୍କ ସହ  ନିୟମିତ ଯୋଗାଯୋଗରେ ଥିଲେ । ଅନ୍ତର୍ଜାତିକ କଲ ମାଧ୍ୟମରେ ତଥ୍ୟ ଆଦାନ ପ୍ରଦାନ ହେଉଥିଲା ।

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ  ତଥ୍ୟ ଲିକ ଘଟଣାରେ  ୪ ଅଭିଯୁକ୍ତ ଘଟଣାରେ  ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି ।

୪ ଅଭିଯୁକ୍ତ କେବେ ବାହାରକୁ ଯାଇଥିଲେ କି?

– ଅଭିଯୁକ୍ତଙ୍କ ଫେସବୁକ ଆକାଂଉଟ ଥିଲା କି ?

– କେତେ ଟଙ୍କା ନେଣଦେଣ ହୋଇଥିଲା ?

– ପାକିସ୍ତାନ ମହିଳାଙ୍କ ସହ କେମିତି ସମ୍ପର୍କରେ ଆସିଥିଲେ ?

–   ପାକିସ୍ତାନ ମହିଳାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିନାହାନ୍ତି ତ ଅଭିଯୁକ୍ତ?

–    ଏଭଳି କାର୍ଯ୍ୟ କେତେ ଦିନ ଚଲାଇଥିଲେ ଅଭିଯୁକ୍ତ?

କେମିତି ଧରାପଡିଥିଲେ ଅଭିଯୁକ୍ତ?

୨୦୧୪ରେ ଗୁଇନ୍ଦାଗିରି ଅଭିଯୋଗରେ ଈଶ୍ୱର ବେହେରା ଗିରଫ ହେବା ପରଠାରୁ ପୋଲିସ ଅଧିକ ସତର୍କ ହୋଇଥିଲା । ବିଶେଷ କରି ବିଦେଶକୁ ଯାଉଥିବା ଫୋନକଲ ଉପରେ ଅଧିକ ନଜର ରଖାଯାଉଥିଲା । ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇଥିବା ୪ ଜଣ ବାରମ୍ବାର ଆଇଏସଡି କଲ କରିଥିବାରୁ ସେମାନଙ୍କ ଉପରେ ସନ୍ଦେହ ବଢିଥିଲା । ସେମାନେ କରିଥିବା ଫୋନ୍ କଲକୁ ଟ୍ରେସ କରିବା ଓ ବ୍ୟାଙ୍କ ଆକାଉଂଟର ଅନୁଧ୍ୟାନ ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ଗୋପନୀୟ ତଥ୍ୟ ଦେବା ବଦଳରେ ସେମାନଙ୍କ ଆକାଉଂଟକୁ ଆସିଥିଲା ବହୁ ପରିମାଣର ଟଙ୍କା । ପୋଲିସର କହିବା ହେଲା ବାଲେଶ୍ୱର ଚାନ୍ଦିପୁରରେ ଥିବା ଭାରତୀୟ ଗବେଷଣା ପ୍ରତିଷ୍ଠାନରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଶତ୍ରୁ ରାଷ୍ଟ୍ର ହାତକୁ ଟେକି ଦେଇଥିଲେ ଏମାନେ । ପାକିସ୍ତାନର ଏଜେଂଟ ଭାବେ କାମ କରୁଥିବା କିଛି ଲୋକଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ହସ୍ତାନ୍ତର କରାଯାଇଛି । ଆଉ ଏଥିପାଇଁ ବିପୁଳ ପରିମାଣର ଟଙ୍କା ହାସଲ କରିଛନ୍ତି ଏହି ୪ ଷଡଯନ୍ତ୍ରକାରୀ  ।