କନକ ବ୍ୟୁରୋ : ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ପକ୍ଷରୁ ଏକ ଅତ୍ୟାଧୁନିକ ସାଫ୍ ଟେକ୍ନୋଲୋଜିର ବିକାଶ କରିଛି । ଏହି ଟେକ୍ନୋଲୋଜି ବ୍ୟବହାର କରି ଭାରତୀୟ ନୌସେନାର ଯୁଦ୍ଧ ଜାହାଜଗୁଡ଼ିକୁ ଶତ୍ରୁପକ୍ଷର ମିସାଇଲ ବା କ୍ଷେପଣାସ୍ତ୍ର ଆକ୍ରମଣରୁ ରକ୍ଷା କରାଯାଇପାରିବ ।
ଯୋଧପୁରସ୍ଥିତ ଡିଆରଡିଓର ଏକ ଲାବରୋଟୋରି ପକ୍ଷରୁ ଏହି ଟେକ୍ନୋଲୋଜି ବ୍ୟବହାର କରି ତିନି ପ୍ରକାରର ରକେଟ ପ୍ରସ୍ତୁତ କରାଯାଇଛି । ସେଗୁଡ଼ିକ ହେଉଛି ସ୍ୱଳ୍ପ ଦୂରଗାମୀ ସାଫ୍ ରକେଟ୍, ମଧ୍ୟମ ଦୂରଗାମୀ ସାଫ ରକେଟ୍ ଓ ଦୂରଗାମୀ ସାଫ ରକେଟ୍ । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏସବୁ ରକେଟ୍ ଭାରତୀୟ ନୌସେନାର ଆବଶ୍ୟକତା ପୂରଣ କରିପାରିବ ବୋଲି ଡିଆରଡିଓ ଦାବି କରିଛି । ନିକଟରେ ନୌସେନା ପକ୍ଷରୁ ଏସବୁ ରକେଟର ବ୍ୟବହାରିକ ପରୀକ୍ଷଣ ଆରବ ସାଗରରେ ଥିବା କେତେକ ଯୁଦ୍ଧ ଜାହାଜରୁ କରାଯାଇଥିଲା । ଏଗୁଡ଼ିକର ପରୀକ୍ଷଣ ସନ୍ତୋଷଜନକ ଥିବା ଡିଆରଡିଓ କହିଛି ।
DRDO has developed an Advanced Chaff Technology to safeguard the naval ships against enemy missile attack. The three variants namely Short Range Chaff Rocket, Medium Range Chaff Rocket, and Long Range Chaff Rocket met Indian Navy’s qualitative requirements. #AtmaNirbharBharatpic.twitter.com/T1RVu3elaK
— DRDO (@DRDO_India) April 5, 2021
ବିଶ୍ୱର ପ୍ରମୁଖ ନୌସେନାଗୁଡ଼ିକ ଏହି ଟେକ୍ନୋଲୋଜି ବ୍ୟବହାର କରି ନିଜ ନିଜର ଜାହାଜର ସୁରକ୍ଷା କରିଥାନ୍ତି । ଏହି ଟେକ୍ନୋଲୋଜି ଏତେ ପ୍ରଭାବୀ ଯେ ଅଳ୍ପ ପରିମାଣରେ ସାଫ୍ ପଦାର୍ଥ ବାୟୁମଣ୍ଡଳରେ ଥିଲେ ତାହା ଶତ୍ରୁର ମିସାଇଲକୁ ବାଟବଣା କରି ନଷ୍ଟ କରିଦିଏ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।