କନକ ବ୍ୟୁରୋ : ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀରୁ ତଥ୍ୟ ଚୋରୀ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହି ଘଟଣାରେ ୭ ଜଣଙ୍କ ଉପରେ ଦେଶର ଗୁଇନ୍ଦା ବିଭାଗ, ଇଂଟେଲିଜେନ୍ସ ବ୍ୟୁରୋ ନଜର ରଖିଥିଲା । ଗତ ବର୍ଷେ ଧରି ଏମାନଙ୍କ ଉପରେ ନଜର ରଖାଯାଇଥିଲା ବୋଲି ତଦନ୍ତକାରୀ ଦଳରେ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଇଂଟେଲିଜେନ୍ସ ବ୍ୟୁରୋର ଅଧିକାରୀମାନେ ପ୍ରାୟ ଏକ ବର୍ଷ ତଳେ ଏନେଇ ସୂରାକ ପାଇଥିଲେ ।

Advertisment

ସୋସିଆଲ ମିଡିଆରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀର କିଛି ବ୍ୟକ୍ତି ପାକିସ୍ତାନୀ ଲୋକଙ୍କ ସହ ସଂପର୍କରେ ଅଛନ୍ତି ବୋଲି ସୁରାକ ମିଳିଥିଲା । ଏହା ପରେ ସେମାନେ ଏହି ୭ ଜଣଙ୍କର ସୋସିଆଲ ମିଡିଆ ଚାଟ୍ ଉପରେ ନଜର ରଖିଥିଲେ । ଏବଂ ଫୋନ୍ କଲକୁ ବିଭିନ୍ନ ସମୟରେ ଟ୍ରାକ୍ କରୁଥିଲେ । ପରେ ଜଣାପଡ଼ିଥିଲା କିଛି ପାକିସ୍ତାନୀ ମହିଳା କ୍ଷେପଣାସ୍ତ୍ର ଘାଟୀରେ କାମ କରୁଥିବା କିଛି କର୍ମଚାରୀଙ୍କ ସହ ଲଗାତର ସଂପର୍କରେ ଅଛନ୍ତି । ଟଙ୍କା କାରବାର ନେଇ ସେଭଳି ଠୋସ୍ ପ୍ରମାଣ ମିଳିନଥିଲେ ମଧ୍ୟ ସୋସିଆଲ ମିଡିଆରେ ଲଗାତାର ସଂପର୍କରେ ରହିବା ଓ କ୍ଷେପଣାସ୍ତ୍ର ଘାଟୀର ବିଭିନ୍ନ ତଥ୍ୟ ସଂପର୍କରେ ଚାଟ୍ କରିବା ଇଂଟେଲିଜେନ୍ସ ବ୍ୟୁରୋର ଅଧିକାରୀଙ୍କ ନଜରକୁ ଆସିଥିଲା ।

ଗତକାଲି ଗିରଫ ହୋଇଥିବା ଡ୍ରାଇଭର ସଚିନ୍ ଛେଟା ସଂପର୍କରେ ମଧ୍ୟ ଇଂଟେଲିଜେନ୍ସ ବ୍ୟୁରୋ ଅଧିକାରୀଙ୍କଠାରୁ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା । ଏହି ଡ୍ରାଇଭର ଜଣଙ୍କ ଡିଆଡିଓଙ୍କ ନିର୍ଦ୍ଦେଶକଙ୍କ ଗାଡି ଚଳାଉଥିଲା । ତେଣୁ ତାଙ୍କ ପାଖରେ ବୈଜ୍ଞାନିକଙ୍କ ଚଳପ୍ରଚଳ ଉପରେ ଖବର ରହୁଥିଲା । ସଚିନ୍ ଛେଟା ସୋସିଆଲ ମିଡିଆରେ ଏଭଳି କିଛି ତଥ୍ୟ ପାକିସ୍ତାନୀ ମହିଳାଙ୍କ ସହ ସେୟାର କରିଥିବା ନେଇ ପୋଲିସ ପାଖରେ ସୂଚନା ରହିଛି । ୭ଜଣଙ୍କ ମଧ୍ୟରୁ ୨ଜଣଙ୍କ ବିରୋଧରେ କୌଣସି ପ୍ରମାଣ ନମିଳିବାରୁ ସେମାନଙ୍କୁ ଛାଡ଼ି ଦିଆଯାଇଛି ।