ପାକିସ୍ତାନୀ ମାୟାବିନୀର ମାୟାଜାଲ: ସୁନ୍ଦରୀ ପାଇଁ ଶତ୍ରୁ ହାତକୁ ଟେକିଦେଲେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

329

କନକ ବ୍ୟୁରୋ: ଚାନ୍ଦିପୁର ଘାଟି ତଥ୍ୟ ଚୋରି ମାମଲାର ମାଷ୍ଟରମାଇଣ୍ଡ କିଏ? ତଦନ୍ତ ପାଇଁ ବାଲେଶ୍ୱରରେ ପହଁଚିଲା ଏନଆଇଏ । ପ୍ରତିରକ୍ଷା ସଂକ୍ରାନ୍ତ ତଥ୍ୟ ଚୋରିର ମୂଳ କେଉଁଯାଏଁ ବ୍ୟାପିଛି ? କେଉଁ କେଉଁ ତଥ୍ୟ ଶତ୍ରୁ ପାଖରେ ପହଁଚିଛି? ପୂରା ଯୋଜନା କ’ଣ ଥିଲା ? ଆଉ କିଏ କିଏ ମାମଲା ସହ ଜଡ଼ିତ ଅଛନ୍ତି ? ଜାଣିବା ପାଇଁ ବାଲେଶ୍ୱରରେ ପହଁଚିଛି ଆତଙ୍କବାଦୀ ଲିଙ୍କ୍ ଥିବା ଅପରାଧର ତଦନ୍ତ କରୁଥିବା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି ବା ଏନଆଇଏ । ୨ ଜଣ ଅଧିକାରୀ ବାଲେଶ୍ୱରରେ ପହଁଚି ପୂରା ଘଟଣାକୁ ଅନୁଧ୍ୟାନ କରୁଛନ୍ତି ।

ଚାନ୍ଦିପୁର ତଥ୍ୟ ଚୋରି ମାମଲାରେ ଆଉ ଜଣେ ଗିରଫ । ଡ୍ରାଇଭର ସଚିନ ଛେଟାଙ୍କୁ ଧରିଲା ପୁଲିସ । ସଚିନ ଛେଟା । ଏହି ବ୍ୟକ୍ତି ନାଁରେ ବି ଲାଗିଛି ଦେଶଦ୍ରୋହ ଭଳି ସଂଗୀନ ଅଭିଯୋଗର ଟ୍ୟାଗ୍ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଡ୍ରାଇଭର ଭାବେ କାମ କରୁଥିଲେ, ହେଲେ ଟଙ୍କା ଓ ପାକିସ୍ତାନୀ ଯୁବତୀର ମାୟାଜାଲରେ ପଡି ସାଜିଥିଲେ ଗୁପ୍ତଚର । ଶତ୍ରୁ ରାଷ୍ଟ୍ରକୁ ଟେକି ଦେଉଥିଲେ ସୁରକ୍ଷା ସମ୍ବଦ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବସନ୍ତ ବେହେରା, ହେମନ୍ତ ମିସ୍ତ୍ରୀ, ତାପସ ନାୟକ, ସେକ୍ ମୁସାଫିର ପରେ ପଂଚମ ଅଭିଯୁକ୍ତ ଭାବେ ଗିରଫ ହୋଇଛି ସଚିନ୍ ।

ତଦନ୍ତ ଯେତିକି ଆଗକୁ ବଢୁଛି, ସେତିକି ରହସ୍ୟମୟ ହୋଇଉଠୁଛି ଗୁପ୍ତଚରୀର ଏହି କାହାଣୀ । ଘଟଣାର ତଦନ୍ତ କରୁଥିବା ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ –

କ୍ଷେପଣାସ୍ତ୍ର ଘାଟି କ୍ୟାମ୍ପସରେ ଥିବା ଷ୍ଟେଟବ୍ୟାଙ୍କରେ ଅଭିଯୁକ୍ତଙ୍କ ଆକାଉଂଟ ମାଧ୍ୟମରେ ବିଦେଶରୁ ହୋଇଛି ଟଙ୍କା କାରବାର
ପୂରା ଘଟଣାରେ ଅଭିଯୁକ୍ତ ବସନ୍ତ ବେହେରା ଉପରେ ସବୁଠୁ ଅଧିକ ସଂଦେହ କରୁଛି ପୁଲିସ
ପାକିସ୍ତାନୀ ମହିଳାଙ୍କ ସହ ହ୍ୱାଟ୍ସଅପରେ କରୁଥିଲା ଭିଡିଓ କଲିଂ ଓ ଚାଟ
ଏପିରିକି ଅଶ୍ଲୀଳ ଭିଡିଓ ଚାଟ ବି ଦୁହିଁଙ୍କ ମଧ୍ୟରେ ହେଉଥିଲା
ବସନ୍ତ ମାଧ୍ୟମରେ ଅନ୍ୟ ଅଭିଯୁକ୍ତ ସହ ଯୋଡି ହୋଇଥିଲା ଏହି ରହସ୍ୟମୟୀ ମହିଳା
ମହିଳା ଜଣଙ୍କୁ ଓଡ଼ିଶା ଆସିବାକୁ ଡାକିଥିଲା ବସନ୍ତ

ଏବେ କ୍ରାଇମବ୍ରାଂଚ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଏନଆଇଏ ଅଧିକାରୀ ବି ପହଁଚି ଗଲେଣି । ଏହି ଘଟଣାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେଇଥିବା ଜଣାପଡିଛି ।