ଆଇଟିଆର‌ ତଥ୍ୟ ଚୋରି ମାମଲା : ୟୁକେ ନମ୍ବରରୁ ଫୋନ୍ କରିଥିବା ଯୁବତୀ ଜଣକ କିଏ?

Advertisment
ଆଇଟିଆର‌ ତଥ୍ୟ ଚୋରି ମାମଲା : ୟୁକେ ନମ୍ବରରୁ ଫୋନ୍ କରିଥିବା ଯୁବତୀ ଜଣକ କିଏ?

କନକ ବ୍ୟୁରୋ : ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଆଇଟିଆର‌୍‌ ତଥ୍ୟ ଚୋରି ମାମଲାର ଗୁମର ଫିଟାଇଛି କ୍ରାଇମବ୍ରାଞ୍ଚ । ୩ ନମ୍ବର ଲଞ୍ଚ ପ୍ୟାଡ୍‌ରେ କାର୍ଯ୍ୟରତ ୫ କର୍ମଚାରୀଙ୍କୁ ଯେଉଁ ଯୁବତୀ ଫୋନ୍‌ କରିଥିଲେ, ସେହି ଫୋନ୍‌ କଲ୍‌ ୟୁକେର ଏକ ନମ୍ବରରୁ ଆସିଥିଲା। ଯୁବତୀ ଜଣକ କିନ୍ତୁ ଦେଶର ଭିନ୍ନ ଭିନ୍ନ ଠିକଣା ଓ ପରିଚୟରେ ଏମାନଙ୍କ ସହିତ କଥା ହେଉଥିଲେ । କେତେବେଳେ ଚଣ୍ଡୀଗଡ଼ ତ କେତେବେଳେ ନିଜକୁ ବେଙ୍ଗାଲୁରୁର ବାସିନ୍ଦା ବୋଲି ପରିଚୟ ଦେଉଥିଲେ । ଅନ୍ୟପଟେ ଦୁବାଇର ଏକ ଆକାଉଣ୍ଟରୁ ଆଇଟିଆରର ଗିରଫ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ କର୍ମଚାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ୩୮ ହଜାର ଟଙ୍କା ଆସିଥିବାର ପ୍ରମାଣ ମିଳିଛି । ଅନ୍ୟ ୪ ଜଣଙ୍କ ଆର୍ଥିକ କାରବାର ସମ୍ପର୍କରେ ଅଧିକ ଜେରା କରାଯାଉଛି । ଅନ୍ୟମାନଙ୍କ ନିକଟକୁ ପାକିସ୍ତାନ ଗୁଇନ୍ଦା ସ˚ସ୍ଥା ଆଇଏସଆଇର ଟଙ୍କା ବ୍ୟାଙ୍କ୍‌ କିମ୍ବା ଏଜେଣ୍ଟ ମାଧ୍ୟମରେ ଆସିଥିଲା, ସେ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗିରଫ କର୍ମଚାରୀଙ୍କ ରିମାଣ୍ତର ଆଜି ଚତୁର୍ଥ ଦିନ ଥିଲା । ଆସନ୍ତା ୨୪ ତାରିଖରେ ଏମାନଙ୍କ ରିମାଣ୍ତ ଅବଧି ଶେଷ ହେବାକୁ ଯାଉଛି । ଆଜି ସୁଦ୍ଧା କ୍ରାଇମବ୍ରାଞ୍ଚ ମୁଖ୍ୟତଃ ପାକିସ୍ତାନୀ ଗୁଇନ୍ଦା ସ˚ସ୍ଥା ଆଇଏସଆଇର ମହିଳା ଏଜେଣ୍ଟକୁ ଠାବ କରିଛି । ସମ୍ପୃକ୍ତ ଏଜେଣ୍ଟ କଥାବାର୍ତ୍ତା ହେଉଥିବା ୟୁକେର ଫୋନ୍‌ ନମ୍ବର କ୍ରାଇମବ୍ରାଞ୍ଚ ଚିହ୍ନଟ କରିଛି । ଏହି ଯୁବତୀ ପ୍ରଥମେ ଫେସ୍‌ବୁକରେ ସମ୍ପର୍କ ଯୋଡ଼ି ଫେସବୁକ ମେସେଞ୍ଜର ମାଧ୍ୟମରେ ଆଇଟିଆର‌୍‌ କର୍ମଚାରୀଙ୍କ ସହିତ ଚାଟି˚ କରିଥିଲେ । ପରେ ହ୍ବାଟ୍‌ସଆପ ମାଧ୍ୟମରେ ଚାଟି˚ କରି ଖବର ଆଦାନ ପ୍ରଦାନ କରିଥିଲେ । ଏହି ଯୁବତୀ ଜଣକ ୟୁକେର ଫୋନ୍‌ ନମ୍ବର ବ୍ୟବହାର କରୁଥିଲେ ବି ନିଜକୁ ଭାରତୀୟ ବୋଲି ପରିଚୟ ଦେଉଥିଲେ । ତେବେ ଏହା କୌଣସି ଅନଲାଇନ୍‌ ସଫଟଓୟାର ଦ୍ବାରା ପ୍ରସ୍ତୁତ ନକଲି ଫୋନ୍‌ ନମ୍ବର ବୋଲି କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ।

ତେବେ, ଏହି ନମ୍ବରର ସିଡିଆର‌୍‌, ଟାଵାର ଡମ୍ପ୍‌ ଇତ୍ୟାଦି ତଥ୍ୟ ସଂଗ୍ରହ କରିବାକୁ କ୍ରାଇମବ୍ରାଞ୍ଚ ପଦକ୍ଷେପ ନେଇଛି। ଏସବୁ ଆସିଲେ ହିଁ ନମ୍ବର ଅସଲି କି ନକଲି ସେ ନେଇ ସ୍ପଷ୍ଟ ହୋଇପାରିବ ।ଅନ୍ୟପଟେ ଆଇଟିଆରରୁ ଗିରଫ ବସନ୍ତ ବେହେରାଙ୍କ ସମେତ ହେମନ୍ତ କୁମାର ମିସ୍ତ୍ରୀ, ତାପସ ରଞ୍ଜନ ନାୟକ, ସେକ୍‌ ମୁସାଫିର‌୍‌ ଏବ˚ ଉତ୍ତରପ୍ରଦେଶର ସଚିନ୍‌ କୁମାର ଛେତାଙ୍କ ମଧ୍ୟରୁ ଜଣେ କର୍ମଚାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଦୁଇଟି କିସ୍ତିରେ ଦୁବାଇରୁ ୩୮ ହଜାର ଟଙ୍କା ଆସିଥିଲା । ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ କର୍ମଚାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଏହି ଟଙ୍କା ଆସିଛି, ସେ ନେଇ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିନାହିଁ। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବା ବେଳେ ଭାରତୀୟ ବାୟୁ ସେନାର ବରିଷ୍ଠ ଅଧିକାରୀମାନେ ବି ଏହି ଅଭିଯୁକ୍ତଙ୍କୁ ଜେରା କରିଛନ୍ତି ।

କ୍ରାଇମବ୍ରାଞ୍ଚ ଏଡିଜି ସ˚ଜୀବ ପଣ୍ତା କହିଛନ୍ତି ଯେ ଏବେ ୫ ଅଭିଯୁକ୍ତଙ୍କୁ ରିମାଣ୍ତରେ ଆଣି ଜେରା କରାଯାଉଛି। ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ସମସ୍ତ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି । ଏହାର ଫରେନସିକ୍‌ ଆନାଲିସିସ୍‌ ପାଇଁ ଲାବରେଟୋରିକୁ ପଠାଯିବ। ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍‌ ଯାଞ୍ଚ କରାଯାଉଛି । ଏମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଯେମିତିକି ଫେସବୁକ, ଇନଷ୍ଟାଗ୍ରାମ୍‌ ଏବେ ତର୍ଜମା କରାଯାଉଛି । ଦୁବାଇର ଏକ ଆକାଉଣ୍ଟରୁ ଜଣେ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି କିସ୍ତିରେ ୩୮ ହଜାର ଟଙ୍କା ବ୍ୟାଙ୍କ୍‌ ଟ୍ରାନ୍ସଫର‌୍‌ ହୋଇଛି । ଅନ୍ୟ ଅଭିଯୁକ୍ତମାନେ କୌଣସି ମାଧ୍ୟମ କିମ୍ବା ବ୍ୟାଙ୍କ ଜରିଆରେ ଟଙ୍କା ନେଇଛନ୍ତି କି ନାହିଁ, ସେ ନେଇ ତଦନ୍ତ କରାଯାଉଛି । ସମସ୍ତ ଅଭିଯୁକ୍ତଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଡିଟେଲ୍‌ ଭେରିଫିକେସନ୍‌ କରାଯାଉଛି । ଜଣେ ମହିଳା ଅପରେଟିଭ୍‌ ଦେଶର ବିଭିନ୍ନ ଅଞ୍ଚଳର ବିଭିନ୍ନ ନାମରେ ପରିଚୟ ଦେଇ ଫେସବୁକ ମାଧ୍ୟମରେ ସମ୍ପର୍କ ଯୋଡ଼ିଥିଲେ । ସେହି ମହିଳାଙ୍କ ସଂପର୍କରେ ଏବେ ଅଧିକ ଖୋଳତାଡ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe