ପାକିସ୍ତାନରେ ରହସ୍ୟମୟୀ ଖୋଲିଥିଲା ୪ ଆକାଉଣ୍ଟ, ଏବେ ବି କରୁଛି ଚାଟିଂ । ଆଉ କେହି ନାହାନ୍ତି ତ ଗୁପ୍ତଚର?

168

କନକ ବ୍ୟୁରୋ : ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ମାମଲାରେ ଆସିଲା ପାକିସ୍ତାନ ଲିଙ୍କ୍ । ଗୁପ୍ତ ତଥ୍ୟ ହାସଲ କରିବାକୁ ରହସ୍ୟମୟୀ ଯୁବତୀ ଯେଉଁ ଫେସବୁକ ଆକାଉଣ୍ଟ ବ୍ୟବହାର କରୁଥିଲେ ତାହା ପାକିସ୍ତାନରୁ ଅପରେଟ ହେଉଥିଲା ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ  ଏଡିଜି ସଞ୍ଜୀବ ପଣ୍ଡା । ରହସ୍ୟମୟୀଙ୍କ ୪ଟି ଫେସବୁକ ଆକାଉଣ୍ଟ ରହିଥିଲା ଯେଉଁଥିରୁ ୩ଟି ଇସଲାମାବାଦରୁ ଅପରେଟ ହେଉଥିବା ବେଳେ ଗୋଟିଏ ରାୱଲପିଣ୍ଡିରୁ ଅପରେଟ ହେଉଥିଲା । ତେବେ ଲୋକେସନକୁ ଲୁଚାଇବାକୁ ପ୍ରକ୍ସି ଆଇପିର ବ୍ୟବହାର କରୁଥିଲା ରହସ୍ୟମୟୀ । ଯାହାଫଳରେ ରହସ୍ୟମୟୀଙ୍କ ଲୋକେସନ ବ୍ରିଟେନ ବୋଲି ଜଣାପଡୁଥିଲା । ତେବେ ଯାଞ୍ଚ ପରେ ରହସ୍ୟମୟୀ ପାକିସ୍ତାନରୁ ସମସ୍ତ ଆକାଉଣ୍ଟ ଅପରେଟ କରିବା ସହ ଗୁପ୍ତ ତଥ୍ୟ ନେଉଥିଲେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଜ ଏଡିଜି ।

ଏହାଛଡା ଏବେ ମଧ୍ୟ ରହସ୍ୟମୟୀଙ୍କ କିଛି ଆକାଉଣ୍ଟ ଆକ୍ଟିଭ ରହିଛି ଯେଉଁଥିରେ ଚାଟିଂ ମଧ୍ୟ କରାଯାଉଛି । କିଛି ମେସେଜ ଡିଲିଟ ମଧ୍ୟ ହୋଇଛି । ଯାଞ୍ଚ ଚାଲୁଥିବାରୁ  କାହା ସହ ରହସ୍ୟମୟୀ ଚାଟ୍ କରୁଛନ୍ତି ସେ ବାବଦରେ କୌଣସି ସୂଚନା ଦେଇନାହାନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଏହାସହ ଟଙ୍କା କାରବାରର ଯାଞ୍ଚ ଚାଲିଛି । ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରିବା ପରେ ପୂରା ତଥ୍ୟ ସାମ୍ନାକୁ ଆସିବ । ଆବଶ୍ୟକ ପଡିଲେ ଗିରଫ ୫ ଅଭିଯୁକ୍ତଙ୍କୁ ପୁଣିଥରେ ରିମାଣ୍ଡରେ ଆଣି ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଏପରିକି ଅଧିକ ଯାଞ୍ଚ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ ବୋଲି କହିଛନ୍ତି ସଞ୍ଜୀବ ପଣ୍ଡା ।