କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଉ ଏକ ଔଷଧକୁ ମିଳିଲା ମଞ୍ଜୁରୀ । ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଏହି ମେଡିସିନ ବ୍ୟବହାର କଲେ କମିବ ଅକ୍ସିଜେନର ଆବଶ୍ୟକତା ।

259

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଶନିବାର ଦିନ ଏକ ଶୁଭ ଖବର ଆସିଛି । ଡ୍ରଗ୍ସ କଣ୍ଟ୍ରୋଲର ଜେନରଲ ଅଫ୍ ଇଣ୍ଡିଆ (ଡିସିଜିଆଇ) କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଉ ଏକ ଔଷଧକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଔଷଧ ଡିଆଡିଓର ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ମେଡିସିନ୍ ଆଣ୍ଡ ଆଲାୟଡ ସାଇନ୍ସସେସ୍ (ଆଇ.ଏନ.ଏମ.ଏ.ଏସ) ଓ ହାଇଦ୍ରାବାଦ ସେଣ୍ଟର ଫର ସେଲୁଲାର ଆଣ୍ଡ ମଲ୍ଲିକ୍ୟୁଲାର ବାୟୋଲୋଜି (ସି.ସି.ଏମ.ବି) ସହିତ ମିଳିତ ଭାବେ ପ୍ରସ୍ତୁତ କରିଛି । ଏହି ଔଷଧର ନାମ ଏବେ ୨- ଡେଓକ୍ସି-ଡି ଗ୍ଲୋକୁଜ,(୨-ଡିଜି) ନାମ ଦିଆଯାଇଛି ।

ଏହି ଔଷଧ ଏବେ ବଜାରରେ ପାଉଡର ରୂପରେ ଉପଲବ୍ଧ ହେବ । ଯାହାକୁ ପାଣିରେ ମିଶାଇ ପିଇବାକୁ ପଡିବ । ଏହି ଔଷଧ ସଂକ୍ରମିତ କୋଷଗୁଡିକ ଉପରେ ଜମା ହୋଇ ଭୂତାଣୁ ସଂକ୍ରମଣର ବୃଦ୍ଧିକୁ ରୋକିବାରେ ସହାୟକ ହେବ । ଏହି ଔଷଧର ଏକ ବଡଗୁଣ ହେଉଛି ତାହା ଶରୀରକୁ ଯିବା ପରେ ଭୂତାଣୁ ସଂକ୍ରମିତ କୋଷଗୁଡିକୁ ଚିହ୍ନଟ କରି ତା ଉପରେ ଏକ ଆସ୍ତରଣ ଭଳି ମାଡି ରହିବ ।

ଏହି ଔଷଧ ଏବେ ଦେଶରେ ଲୋକଙ୍କ ପାଇଁ ବଡ ସହାୟକ ହେବ ବୋଲି ଆଶା କରାଯାଉଛି । ଏହାସହ ଢ଼ଔଷଧ ନିର୍ମାତାକାରୀ ମାନେ ଦାବି କରିଛନ୍ତି କି ଏହି ଔଷଧ ସେବନ ଫଳରେ ସଂକ୍ରମିତଙ୍କର ଅକ୍ସିଜେନ ସ୍ତର କମିବ ନାହିଁ କି ସେମାନଙ୍କୁ ଅଧିକ ଦିନ ହସ୍ପିଟାଲରେ ରହି ଚିକିତ୍ସିତ ହେବାକୁ ପଡିବ ନାହିଁ ।