ଓଡିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ: ସମସ୍ତଙ୍କୁ ଭେଟିବେ, ସମର୍ଥନ ଲୋଡିବେ

198

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଛି । ରାଜ୍ୟ ରାଜ୍ୟ ବୁଲି ସମର୍ଥନ ଲୋଡୁଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳଙ୍କ ପ୍ରାର୍ଥୀ ଯଶବନ୍ତ ସିହ୍ନା । ବିହାର ପରେ ଏବେ ଝାରଖଣ୍ଡ ଗସ୍ତରେ ଥିବା ଦ୍ରୌପଦୀ ମୁର୍ମୁ ଜୁଲାଇ ୮ରେ ଓଡିଶା ଆସିବେ ବୋଲି ସୂଚନା ମିଳିଛି । ସେପଟେ ବିରୋଧୀ ମେଂଟର ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନା ମଧ୍ୟ ଓଡିଶା ଆସୁଥିବା ଖବର ମିଳିଛି ।

ଜୁଲାଇ ୮ତାରିଖରେ ଦ୍ରୌପଦୀ ମୁର୍ମୁ ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ନବୀନ ପଟ୍ଟନାୟକ ଦଳମତ ନିର୍ବିଶେଷରେ ଓଡିଆ ଝିଅ ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ଅପିଲ କରିଛନ୍ତି । ତେଣୁ ବିଜେଡି ସୁପ୍ରିମୋଙ୍କୁ ଭେଟି ସମର୍ଥନ ପାଇଁ ଅନୁରୋଧ କରି ଔପଚାରିକତା ପୂରଣ କରିବେ । ଏହାପରେ କଂଗ୍ରେସ ନେତାଙ୍କୁ ସାକ୍ଷାତ କରି ସମର୍ଥନ ଲୋଡିବେ ଦ୍ରୌପଦୀ । ରାଜ୍ୟ କଂଗ୍ରେସ ସଭାପତି ଦଳୀୟ ନିଷ୍ପତି ଆଧାରରେ ସମର୍ଥନ ଦେବାକୁ ଘୋଷଣା କରିସାରିଛନ୍ତି, ତେଣୁ ଓଡିଆ ଆଦିବାସୀ ଝିଅ ତାଙ୍କୁ ଭେଟି, କଣ କହି ମନ ଜିଣିବାକୁ ଉଦ୍ୟମ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି ।

ସେପଟେ ବିରୋଧ ଦଳଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ଜୁଲାଇ ୬ ତାରିଖରେ ଓଡିଶା ଆସିବେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ତାଙ୍କୁ ସମର୍ଥନ ଘୋଷଣା କରିସାରିଥିବା ବେଳେ ସେ ବିଜୁ ଜନତା ଦଳର ସୁପ୍ରିମୋଙ୍କୁ ଭେଟି ସମର୍ଥନ ହାସଲ କରିବାକୁ ଉଦ୍ୟମ କରିବେ ।