ସମ୍ଭାବ୍ୟ ମରୁଡି ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ୭ ଦିନ ମଧ୍ୟରେ ସମସ୍ତ ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ନବୀନଙ୍କ ନିର୍ଦ୍ଦେଶ ।

221

କନକ ବ୍ୟୁରୋ :ସମ୍ଭାବ୍ୟ ମରୁଡି ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା । ଭିଡ଼ିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରି ଏହାର ମୁକାବିଲା ନିମନ୍ତେ ଚାଷୀ ମାନଙ୍କ ପାଇଁ ଜରୁରୀକାଳୀନ ଫସଲ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନବୀନ କହିଛନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧୩ଟି ବ୍ଲକରେ ବର୍ଷାର ଅଭାବ ଦେଖାଦେଇଛି, ଯାହାକି କୃଷି କାର୍ଯ୍ୟକ୍ରମକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇ ଦୈନିକ ଭିତ୍ତିରେ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସଂପୃକ୍ତ ଜିଲ୍ଲାପାଳମାନେ କ୍ଷେତ୍ରସ୍ତରରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି।

ଏହାବାଦ୍ ଫସଲ ପାଇଁ ଜରୁରୀକାଳୀନ ଯୋଜନା, କେନାଲ ଗୁଡିକରେ ଜଳପ୍ରବାହ ଏବଂ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଚାଷୀ ମାନଙ୍କ ଫସଲ ନଷ୍ଟ ହେବା କ୍ଷେତ୍ରରେ ଦ୍ୱିତୀୟ ଫସଲ ପାଇଁ ବିହନ ଓ ମିନିକିଟ୍‌ ଯୋଗାଇ ଦେବା ଏବଂ ଯେଉଁଠାରେ ଫସଲ ଅଛି, ତାକୁ ସୁରକ୍ଷିତ ରଖିବା ପାଇଁ ରିହାତି ଦରରେ ଚାଷୀ ମାନଙ୍କୁ ଡିଜେଲ ପମ୍ଫସେଟ୍‌ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଚାଷୀ ମାନଙ୍କ ଜମିକୁ ଜଳଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ଗୋଟିଏ ଜାଗାରେ ଅଧ ଏକରରୁ ଅଧିକ ଥିବା ଚାଷ ଜମି ପାଇଁ ପୋଖରୀ ଖୋଳିବା ସହ ସମସ୍ତ ଉଠାଜଳସେଚନ ପଏଣ୍ଟ ଗୁଡିକୁ ୭ ଦିନ ମଧ୍ୟରେ ମରାମତି ଓ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଛୋଟ ଓ ନାମମାତ୍ର ଚାଷୀ ଓ କୃଷି ଶ୍ରମିକ ମାନଙ୍କୁ ଜୀବିକା ସହାୟତା ଦେବା ପାଇଁ ବିଭିନ୍ନ ରୋଜଗାର ସୃଷ୍ଟିକାରୀ ଯୋଜନା ଉପରେ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତଳିଆ ଅଞ୍ଚଳର ଚାଷୀମାନଙ୍କ ପାଇଁ ଜଳଯୋଗାଣ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ଜଳସଂପଦ ବିଭାଗକୁ ପରାମର୍ଶ ଦେଇଛନ୍ତି ।

ଜନସାଧାରଣ ଓ ପ୍ରାଣୀସଂପଦ ମାନଙ୍କ ପାଇଁ ଯେପରି ପାନୀୟ ଜଳର ଅଭାବ ନ ହୁଏ, ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ଓ ପୌରସଂସ୍ଥା କର୍ତ୍ତୃପକ୍ଷମାନେ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀ ଓ ସାଧାରଣ ଜନତାଙ୍କ ଉପରେ ମରୁଡିର ପ୍ରଭାବ କମ୍‌ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବୃଷ୍ଟିପାତ ୩୦ ପ୍ରତିଶତ କମ୍‌ ରହିଛି । ଧାନ ଫସଲ ପାଇଁ ସମସ୍ୟା ଦେଖା ଦେଇଥିଲେ ମଧ୍ୟ ଅଣଧାନ ଫସଲ ପାଇଁ କୌଣସି ସମସ୍ୟା ସୃଷ୍ଡି ହୋଇନାହିଁ । ମନେରଗାରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ ।ଖାସକରି କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଯାଉଥିବା ଲୋକଙ୍କୁ ଯେପରି ରାଜ୍ୟ ମଧ୍ୟରେ କାମ ଯୋଗାଇ ଦିଆଯାଇପାରିବ, ସେ ସଂପର୍କରେ ବୈଠକରେ ଆଲୋଚନା ହୋଇଛି ।