ବର୍ଷା ଅଭାବରୁ ଫାଟି ଗଲାଣି ଚାଷ ଜମି । ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡରେ ଚାଷୀଙ୍କୁ ଘାରି ମରୁଡି ଚିନ୍ତା

217

କନକ ବ୍ୟୁରୋ: ସ୍ୱଳ୍ପ ବୃଷ୍ଟପାତ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଚାଷ ଜମି ଫାଟି ଆଁ କରିଛି । ପ୍ରବଳ ଖରା ଯୋଗୁଁ ଧାନ ଗଛ ସବୁ ହଳଦିଆ ହୋଇ ମରିବାକୁ ବସିଛି । ଯାହାକୁ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଥିବା ବେଳେ ବର୍ଷା ପାଣିକୁ ଚାତକ ପରି ଅପେକ୍ଷା କରିଛନ୍ତି ଚାଷୀ ।

ଆଉ ଦିନ ୨ଟାରେ ସରିଯିବ ଶ୍ରାବଣ । ପ୍ରତି ଶ୍ରାବଣରେ ମୁସଳଧାରାରେ ବର୍ଷା ହୁଏ, ଚାଷ ଜମି ସବୁଜିମାରେ ଭରି ଯାଏ । ହେଲେ ବରଗଡ ଜିଲ୍ଲାରେ ଚଳିତବର୍ଷ ସେମିତି କିଛି ଦେଖିବାକୁ ମିଳୁନାହିଁ । ଶ୍ରାବଣ ଶେଷରେ ଶୁଖିଲା ପଡିଛି ଜିଲ୍ଲାର ବିଭିନ୍ନ ଅଂଚଳର ହେକ୍ଟର ହେକ୍ଟର ଚାଷ ଜମି । ବରଗଡରେ ଜୁନ ମାସ ଠାରୁ ବର୍ତମାନ ସୁଦ୍ଧା ସ୍ୱାଭାବିକ ଠାରୁ ଖୁବ୍ କମ୍ ବର୍ଷା ହୋଇଛି । କୃଷି ବିଭାଗ କହିବା ଅନୁସାରେ, ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାରୁ ଅଣଜଳସେଚିତ ଜମିରେ ଚାଷ ପ୍ରଭାବିତ ହୋଇଛି । ବର୍ଷା ଉପରେ ନିର୍ଭର କରି ଚାଷ କରୁଥିବା ଚାଷୀଙ୍କ ମାନସିକ ସ୍ଥିତି ଦୋହଲି ଯାଇଛି ।

ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ବରଗଡ ଜିଲ୍ଳାର ୯୮ ହଜାର ୯୬୫ ହେକ୍ଟର ଜମିରେ ଚାଷ ପ୍ରଭାବିତ ହୋଇଛି । ୧୨ଟି ବ୍ଳକକୁ ନେଇ ଗଠିତ ଜିଲ୍ଲା ବରଗଡର ଅର୍ଦ୍ଧାଧିକ ବ୍ଲକ ଅଣଜଳସେଚିତ ଅଂଚଳ । ହୀରାକୁଦ ପାଣିରେ ଜଳସେଚିତ ହେଉଛି ବରଗଡ, ବରପାଲି, ଭେଡେନ ଏବଂ ଅତାବିରା ବ୍ଳକ । କିନ୍ତୁ ପଦ୍ମପୁର, ପାଇକମାଲ, ଗାଇସିଲେଟ, ଝାରବନ୍ଧ, ବିଜେପୁର, ସୋହେଲା, ଅମ୍ବାଭୋନା ଏବଂ ଭଟଲି ଅଣଜଳସେଚିତ ଅଂଚଳ । ଏଠାରେ ଚାଷ କାର୍ଯ୍ୟ ପାଇଁ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି ଚାଷୀ । ତେବେ ଆଗାମୀ ୧୫ ଦିନ ମଧ୍ୟରେ ଯଦି ବର୍ଷା ନହୁଏ ତେବେ ପରିସ୍ଥିତି ଭୟାବହ ହେବ ବୋଲି ପୁର୍ବାନୁମାନ କରିଛି ଜିଲ୍ଳା କୃଷୀ ବିଭାଗ ।

ସେହିଭଳି କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ବ୍ଲକ ଆକାଶରେ ମେଘ ଭାସୁଛି କିନ୍ତୁ ବରଷୁ ନାହିଁ । ଖରିଫ ଚାଷ ଆରମ୍ଭର ଭଲ ବର୍ଷା ଦେଖି ଚାଷୀ ଭାବିଥିଲେ ଏ ସନ ଭଲ ଚାଷ ହେବ । ହେଲେ ସେମିତି କିଛି ହେଲା ନାହିଁ । ନାମକୁ ମାତ୍ର ଝିପିଝିପି ବର୍ଷା ହୋଇ ମୌସୁମୀ ଧୋକା ଦେବା ପରେ ଗୋଲମୁଣ୍ଡା ବ୍ଲକର ବିଭିନ୍ନ ପଂଚାୟତରେ ଧାନ ଚାଷ ପ୍ରଭାବିତ ହୋଇଛି । କମ୍ ବର୍ଷା ସାଙ୍ଗକୁ ତେଲ ନଦୀରେ ବି ପାଣି କମ୍ । ତେଣୁ ଗତବର୍ଷ ମରୁଡି ମାଡ ଖାଇଥିବା ଚାଷୀ ଚଳିତବର୍ଷ ମଧ୍ୟ ମରୁଡି ଆଡକୁ ମୁହାଁଉଛନ୍ତି ।

ଆସନ୍ତା ୧୫ ଦିନ ମଧ୍ୟରେ ଯଦି ବର୍ଷା ହୁଏ, ତେବେ ଚାଷ କ୍ଷେତ୍ରରେ ସାମାନ୍ୟ ସୁଧାର ଆସି ପାରିବ । ନ ହେଲେ ଏହି ଜିଲ୍ଲା ଗୁଡିକରେ ମରୁଡିର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।