ପରାଜୟ ପରେ ବଦଳୁଛି କି ବିଜେଡି? କୋଟେରୀ ମୁକ୍ତ ପାଇଁ ଦଳ ନେଉଛି କି ପଦକ୍ଷେପ, ଅଭିଜ୍ଞ ନେତାଙ୍କୁ ମିଡିଆ ଦାୟିତ୍ୱ ପରେ ବଢ଼ିଲା ଚର୍ଚ୍ଚା ।

ପରାଜୟ ପରେ ବଦଳୁଛି କି ବିଜେଡି? କୋଟେରୀ ମୁକ୍ତ ପାଇଁ ଦଳ ନେଉଛି କି ପଦକ୍ଷେପ, ଅଭିଜ୍ଞ ନେତାଙ୍କୁ ମିଡିଆ ଦାୟିତ୍ୱ ପରେ ବଢ଼ିଲା ଚର୍ଚ୍ଚା ।

କନକ ବ୍ୟୁରୋ: ବଦଳୁଛି କି ବିଜେଡି। ରାଜସ୍ତରୀୟ ସବୁ କମିଟିକୁ ବିଜେଡି ସୁପ୍ରିମୋ ଭାଙ୍ଗିଦେବା ପରେ ଗତକାଲି ଅଭିଜ୍ଞ ନେତାଙ୍କୁ ମିଡିଆ ଦାୟିତ୍ୱ ଦେଇଛନ୍ତି। ଚର୍ଚ୍ଚା ହେଉଛି ନିର୍ବାଚନବେଳେ ଯେଉଁ କୋଟେରୀର କାଟ୍ତି ବଢିଥିଲା ସେମାନଙ୍କ ପକ୍ଷ ଛେଦନ ଚାଲିଛି। ସବୁଠାରୁ ଅଧିକ ଚର୍ଚ୍ଚା ବଢାଇଛି, ରାଜନୀତିରେ ଅଭିଜ୍ଞତା ନଥିବା ସଂତୃପ୍ତ ମିଶ୍ରଙ୍କୁ ରାଜନୈତିକ ସଚିବ ନିଯୁକ୍ତ କରିଛନ୍ତି ନବୀନ। ଆଗକୁ ଦଳର ରାଜ୍ୟ କମିଟି ଉପରେ ନଜର ରହିଛି।

ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବିଜେଡି ଭୁଲ ସୁଧାରି ଆଗକୁ  ବଢିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି । ରାଜ୍ୟସ୍ତରୀୟ  ସବୁ କମିଟିକୁ  ବିଜେଡି  ସୁପ୍ରିମୋ ଭାଂଗି ଦେଇଛନ୍ତି । କିଛି ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ  ମିଡିଆ ଚେହେରା  ଭାବେ ଆଗକୁ ଅଣାଯାଇଛି । ଅଭିଜ୍ଞ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ଅରୁଣ ସାହୁ, ପ୍ରତାପ ଦେବ, ପ୍ରତାପ ଜେନା, ରମେଶ ମାଝୀ ଓ ସୁଦାମ ମାର୍ଣ୍ଡିଙ୍କ ଭଳି ନେତାଙ୍କ ଉପରେ ଭରସା କରିଛନ୍ତି ନବୀନ ପଟ୍ଟନାୟକ । ହେଲେ ନିର୍ବାଚନ ସମୟରେ ଏହି ନେତାମାନେ ମିଡିଆ ସାମ୍ନାକୁ ଏତେଟା ଆସୁନଥିଲେ।

ବ୍ୟୁରୋକ୍ରାଟଙ୍କ ପରେ କର୍ପୋରେଟ ଚେହେରା

ସଂତୃପ୍ତଙ୍କ ନିଯୁକ୍ତିକୁ ନେଇ ବଢିଲା ଚର୍ଚ୍ଚା

ଦଳରେ କମୁଛି କି କାର୍ପଟଦାରଙ୍କ ପ୍ରଭାବ?

ଅଭିଯୋଗ ଅନୁସାରେ ଦଳରେ କିଛି ସିନିୟର ନେତାଙ୍କୁ ଉପେକ୍ଷା କରାଯାଇ, କୋଟେରୀ ଗ୍ରୁପର ନେତାଙ୍କର କାଟତି  ବଢିଥିଲା । ହେଲେ ଏବେ  ଯେଉଁ ତାଲିକା ପ୍ରକାଶ ପାଇଛି  ଏଥିରେ କୋଟେରୀ ଗ୍ରୁପର ପ୍ରଭାବ ଓ ପତିଆରା କମିଛି । ଏପରିକି ସଂତୃପ୍ତ ମିଶ୍ରଙ୍କ ନିଯୁକ୍ତିକୁ ନେଇ ଦଳ ଭିତରେ ଅନେକ ଚର୍ଚ୍ଚା । ରାଜନୀତିରେ ଅଭିଜ୍ଞତା ନଥିବା ବିଜେଡିର କର୍ପୋରେଟ ଚେରେରା ସଂତୃପ୍ତଙ୍କୁ  ନବୀନଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତ କରାଯାଛି । କୁହାଯାଉଛି ବ୍ୟୁରୋକ୍ରାଟ ପରେ କର୍ପୋରେଟ ଚେହେରାଙ୍କ ଉପରେ  ଭରସା କରିଛନ୍ତି ନବୀନ । ଆଗକୁ ସଂଗଠନରେ ବଡ ଧରଣରେ ଅଦଳ ବଦଳ ହେବାକୁ ଯାଉଛି ।

ନିର୍ବାଚନ ପରାଜୟକୁ ନେଇ ଦଳରେ କାରଣ ଖୋଜା ଭିତରେ ଅସନ୍ତୋଷ  ତେଜିଲାଣି । ପ୍ରଭାତ ବିଶ୍ୱାଳ, ସମ୍ୱିତ ରାଉତରାୟ, ମଙ୍ଗଳା କିଶାନଙ୍କଠାରୁ ଆରମ୍ଭ କରି ଯୁବ ନେତା  ବିସ୍ଫୋରଣ କଲେଣି । ତେଣୁ ନୂଆ ଦାୟିତ୍ୱ ବଂଟନ ସୁପ୍ରିମୋଙ୍କ ପାଇ ଚାଲେଞ୍ଜ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe