ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ଼। ଘଣ୍ଟାଏ ପୂର୍ବରୁ ବିରୋଧୀ ଦଳ ନେତା, ଘଣ୍ଟାକ ପରେ ଉପ-ମୁଖ୍ୟମନ୍ତ୍ରୀ

351

କନକ ବ୍ୟୁରୋ: ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟେ, ରାଜନୈତିକ ଅଙ୍କ ମୁହୂର୍ତ୍ତକ ମଧ୍ୟରେ ଓଲଟପାଲଟ ହୋଇଯାଏ । ଏକଥା ପୁଣିଥରେ ପ୍ରମାଣ ହୋଇଛି ମହାରାଷ୍ଟ ରାଜନୀତିରେ । ଘଣ୍ଟାଏ ପୂର୍ବରୁ ବିରୋଧୀ ଦଳର ନେତା ଥିବା ଅଜିତ ପାୱାର, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୪ ବର୍ଷରେ ୪ ଥର ମହରାଷ୍ଟ୍ର ମନ୍ତ୍ରିମଣ୍ଡଳ ଶପଥ ନେଇଛି । ଆଉ ଏହି ଅବଧି ଭିତରେ ୩ ଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ।

ରବିବାର ମଧ୍ୟାହ୍ନ ।ମହାରାଷ୍ଟ୍ର ରାଜଭବନ । ଏନସିପି ନେତା ଅଜିତପାୱାର, ଦଳର କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲ, ବରିଷ୍ଠ ନେତା ଛଗନ ଭୁଜବଲଙ୍କ ସମେତ ୧୭ଜଣ ବିଧାୟକଙ୍କୁ ନେଇ ରାଜଭବନରେ ପହଞ୍ଚିଥିଲେ । ଏହା ପରେ ମହାରାଷ୍ଟ୍ର ରାଜନୀତିରେ ହଲଚଲ ଆରମ୍ଭ ହୋଇଗଲା । ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ରାଜଭବନରେ ପହଞ୍ଚିଥିଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦୁଇ ଫାଳ ହୋଇଯାଇଛି । ଏହାପରେ ହୋଇଥିଲା ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ଉତ୍ସବ । ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏନସିପିର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଛଗନ ଭୁଜବଳଙ୍କ ସମେତ ୮ ଜଣ ଏନସିପି ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ଅଜିତ ପାୱାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢ଼ୁଛି ।ଏଥିରେ ଅନୁପ୍ରାଣୀତ ହୋଇ ସେ ବିଜେପି-ଶିବସେନା ସରକାରରେ ଯୋଗଦେଇଛନ୍ତି । ତାଙ୍କ ସହ ସମସ୍ତ ୫୩ ଜଣ ଏନସିପି ବିଧାୟକ ଅଛନ୍ତି । ଏନସିପି ନାଁ ଓ ଚିହ୍ନ ପାଇଁ ସେ ଦାବି କରିବେ । ଏପଟେ ମହାରାଷ୍ଟ୍ର୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ମହାରାଷ୍ଟ୍ରରେ ଡବଲ ଇଂଜିନ ସରକାର ଚାଲିଥିଲା, ଏବେ ଏହା ଟ୍ରିପଲ୍ ଇଂଜନ ହୋଇଯାଇଛି ।

ଦଳର ପ୍ରମୁଖ ନେତା ହାତ ଛାଡିବା ପରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ବଡ଼ ଧକ୍କା ଲାଗିଛି । ତେବେ ସେ କହିଛନ୍ତି, ପୂର୍ବରୁ ମଧ୍ୟ ସେ ଏପରି ସ୍ଥିତିକୁ ସାମନା କରିଛନ୍ତି । ପୁଣି ଥରେ ସେ ପାର୍ଟିକୁ ଛିଡ଼ା କରିବେ । ଯେଉଁମାନେ ଦଳ ଛାଡିଛନ୍ତି, ସେମାନେ ନିର୍ବାଚନ ଜିତିପାରିବେ ନାହିଁ । ୪ ବର୍ଷ ତଳେ ସରକାର ଗଠନରେ ବିଜେପିକୁ ଏନସିପି ସହଯୋଗ କରୁ ବୋଲି ଯୁକ୍ତି ବାଢ଼ିଥିଲେ ଅଜିତ ପାୱାର । ଏପରିକି ଦେବେନ୍ଦ୍ର ଫଡ଼ନବିସଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅଜିତ ପାୱାର । କିନ୍ତୁ ୮୦ ଘଣ୍ଟା ପରେ ସରକାର ଭାଙ୍ଗିଯାଇଥିଲା । ଶିବସେନା-କଂଗ୍ରେସ-ଏନସିପି ସରକାରରେ ପୁଣି ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଅଜିତ । ଗତ ବର୍ଷ ଜୁନ ମାସରେ ଶିବସେନାରେ ବିଦ୍ରୋହ ହୋଇଥିଲା । ଉଦ୍ଧବ ଠାକରେଙ୍କ ସରକାରର ପତନ ଘଟିଥିଲା । ବିଜେପି ସହଯୋଗରେ ସରକାର ଗଢ଼ିଥିଲେ ଏକନାଥ ସିନ୍ଦେ । ଆଉ ବିରୋଧୀ ଦଳର ନେତା ଆସନରେ ବସିଥିଲେ ଅଜିତ ପାୱାର । ତେବେ ନିକଟରେ ଏନସିପି ପୁନର୍ଗଠନରେ ଅସନ୍ତୁଷ୍ଟ ହୋଇଥିଲେ ଅଜିତ ପାୱାର । କାରଣ ତାଙ୍କ ବଦଳରେ ଦଳର କାର୍ଯ୍ୟକାରୀ ସଭାପତି ଭାବେ ଝିଅ ସୁପ୍ରିୟା ସୁଲେ ଓ ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲଙ୍କୁ ନିଯୁକ୍ତ କରିଥିଲେ ଶରଦ ପାୱାର ।