ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା । ଯାଜପୁର ପୌରପାଳିକାରେ ଖୋଲାମେଲାରେ ପଡିଛି ଡ୍ରେନ୍, ରାସ୍ତାରେ ବହୁଛି ଡ୍ରେନ୍ ପାଣି ।

87

କନକ ବ୍ୟୁରୋ : ଦେଢ଼ଶହ ବର୍ଷର ପୌରପାଳିକାରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା । ୧୮ଟି ୱାର୍ଡ ବିଶିଷ୍ଟ ଯାଜପୁର ପୌରପାଳିକାରେ ଖୋଲାମେଲା ହୋଇ ପଡିଛି ଡ୍ରେନ୍ । କେଉଁଠି ଡ୍ରେନ ଅଛି, କେଉଁଠି ନାହିଁ । ଅନେକ ସ୍ଥାନରେ ଡ୍ରେନ ପାଣି ରାସ୍ତା ଉପରେ ବହୁଛି । ବର୍ଷା ହେଲେ ପୌରାପାଳିକାରେ ଘରୁ ବାହାରିବା ମୁସ୍କିଲ୍ । ତେବେ ଜିଲ୍ଲାପାଳ କହିଛନ୍ତି ବର୍ଷା ପାଣି ନଜମିବା ପାଇଁ ପୌରାପାଳିକା ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଯାଜପୁର ପୌରପାଳିକା ସର୍ବ ପୁରାତନ ପୌରପାଳିକା ଭାବେ ଦେଢ଼ଶହ ବର୍ଷ ପୂର୍ତି ଉତ୍ସବ ପାଳନ କରି ଏକ ନମ୍ବର ପୌରପାଳିକା ବୋଲି ଦେଖାଇସାରିଛି । କିନ୍ତୁ ବିପର୍ଯ୍ୟସ୍ତ ହୋଇପଡିଛି ସେଇ ପୁରାତନ ପୌରପାଳିକାର ଡ୍ରେନେଜ୍ ବ୍ୟବସ୍ଥା । ଡ୍ରେନରେ ଭାସି ଯାଇ ଭୁବନେଶ୍ୱରର ଛାତ୍ର ଜ୍ୟୋତିପ୍ରକାଶଙ୍କ ଜୀବନ ଯିବା ପରେ ଅନେକ ରାଜନୀତି ହୋଇଛି । ହେଲେ ଯାଜପୁର ପୌରପାଳିକାରେ ଖୋଲାମେଲା ହୋଇରହିଛି ଡ୍ରେନ୍ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, କେବଳ ବିଏମସି ଅଞ୍ଚଳ ନୁହେଁ ରାଜ୍ୟର ଅନେକ ସ୍ଥାନରେ ଏମିତି ମୁକୁଳା ଡ୍ରେନ ବିପଦକୁ ଅପେକ୍ଷା କରିଛି ।

ଏହି ପୌରପାଳିକାରେ ଅସରାଏ ବର୍ଷା ହେଲେ ରାସ୍ତା ଉପରେ ଡ୍ରେନ୍ ପାଣି ଲହଡି ଭାଙ୍ଗେ । ସ୍ଥାନେ ସ୍ଥାନେ ପାଣି ଜମି ରହୁଥିବା ଲୋକେ ଅଭିଯୋଗ କରିଛନ୍ତି । ଅନେକ ସ୍ଥାନରେ ଡ୍ରେନେଜ କାମ ଆରମ୍ଭ ହୋଇଛି ଯେ, ସରୁନି । ଆଉ କେତେକ ସ୍ଥାନରେ ଡ୍ରେନ ସଫା ହେଉନଥିବାରୁ ଅଳିଆ ଆବର୍ଜନା ଭର୍ତ୍ତି ହୋଇରହିଛି । ସେପଟେ ଯାଜପୁରର ଡ୍ରେନ ସମସ୍ୟାକୁ ଜିଲ୍ଲାପାଳ ସ୍ୱୀକାର କରିଛନ୍ତି । ଅଧିକ ବର୍ଷା ହେଲେ ଜଳ ନିଷ୍କାସନ ସମସ୍ୟା ରହୁଛି । ସର୍ବ ପୁରାତନ ପୌରପାଳିକାରେ ପୌରବାସୀଙ୍କ ଡ୍ରେନେଜ ସମସ୍ୟା କେବେ ସମାଧାନ ହେଉଛି ତାକୁ ହିଁ ଅପେକ୍ଷା କରିଛନ୍ତି ।