କନକ ବ୍ୟୁରୋ : ଡ୍ରେନ୍ ଉପରେ ପଡିଥିବା କଙ୍କ୍ରିଟ୍ ସ୍ଲାବ ଉପରେ ଛିଡା ହୋଇ କଥା ହୋଉଥିବାବେଳେ ଘଟିଲା ଅଘଟଣ । ୫ ଜଣ ସ୍ଲାବ ଉପରେ ଛିଡା ହୋଇ କଥା ହୋଉଥିବାବେଳେ ଜଣେ ବ୍ୟକ୍ତି ସେମାନଙ୍କ ପାଖରେ ବସି କାମ କରୁଥିଲେ ।ଏତିକି ବେଳେ ଅଚାନକ୍ ତାଙ୍କ ପାଦ ତଳର ସ୍ଲାବ ଭୁଷୁଡି ପଡିଥିଲା । ଫଳରେ ୫ଜଣଙ୍କ ସହ ଗୋଟିଏ ବାଇକ୍ ମଧ୍ୟ ଖାତ ମଧ୍ୟରେ ଖସିପଡିଥିଲା ।
ଜୈସଲମେରର ବାବା ବାୱଡି ରେଲୱେ ଷ୍ଟେସନ୍ ନିକଟରେ ଥିବା ଏକ ଟାୟାର ପଙ୍କଚର ଦୋକାନରେ ଘଟିଛି ଏଭଳି ଅଭାବନୀୟ ଘଟଣା । ହେଲେ ଭାଗ୍ୟକୁ ଡ୍ରେନଟି ଶୁଖିଲା ଥିଲା । ଫଳରେ ଏଥିରେ ଗଳି ପଡିଥିବା ଲୋକେ ଗଭୀର ଆହତ ହୋଇଥିଲେ ବି କୌଣସି ମୃତାହତ ହୋଇନଥିବା ଖବର ରହିଛି ।
ଅନେକ ସ୍ଥାନରେ ରାସ୍ତାକଡରେ ପଡିଥିବା ସ୍ଲାବ ଉପରେ ଏପରି ଅନେକ ଦୋକାନ ଚାଲିଥାଏ । ହେଲେ ସେ ସ୍ଲାବ କେତେ ଦୃଢ ତାହା କାହାରିକୁ ଜଣାନଥାଏ । ଫଳରେ ଏପରି ଘଟଣା ଘଟିଥାଏ । ଜୈସଲମେରର ଏହି ଭିଡିଓ ଦେଖିବା ପରେ ରାସ୍ତାକଡ ବେପାରୀ ସଚେତନ ହେବେ ନିଶ୍ଚୟ ।