ପଛକୁ ହଟିଲା ଚୀନ ସେନା । ଭାରତୀୟ ଏନଏସଏ ମୁଖ୍ୟ ଅଜିତ ଡୋଭାଲ ଓ ଚୀନ ବିଦେଶ ମନ୍ତ୍ରୀଙ୍କ ଆଲୋଚନା ଫଳପ୍ରଦ ହୋଇଥିବା ସୂଚନା, ଗଲୱାନ ଘାଟିରୁ ଡ୍ରାଗନ ବାହିନୀ ୧ ରୁ ୨ କିଲୋମିଟର ପଛକୁ ହଟିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ  ।

334

କନକ ବ୍ୟୁରୋ : ଭାରତ-ଚୀନ୍ ବିବାଦ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନ୍ର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ  ଆଲୋଚନା ପରେ ଗଲୱାନ ଘାଟିରେ ବଡ ଧରଣର ପରିବର୍ତନ ଦେଖିବାକୁ ମିଳିଛି । ଚୀନ୍ ସେନା ଗଲୱାନ ଘାଟିରୁ ୧ରୁ ୨ କିଲୋମିଟର ପଛକୁ ଘୁଞ୍ଚିଥିବା ନେଇ ଭାରତୀୟ ସେନା ସୂତ୍ରରୁ ସୁଚନା  ମିଳିଛି । ଡୋଭାଲ ଓ ଚୀନ ମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନରେ ହୋଇଥିବା ଏହି ଆଲୋଚନାରେ,  ଲାଇନ ଅଫ ଆକଚୁଆଲ କଂଟ୍ରୋଲ ବା ଏଲଏସି ନିକଟରେ ଉଭୟ ଦେଶ ସେନା ପ୍ରତ୍ୟାହାର କରିବା ପାଇଁ ସହମତି ପ୍ରକାଶ ପାଇଛି । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଚାଇନାର ସେନା, ଗଲୱାନ ଘାଟିରୁ ସେନା ପ୍ରତ୍ୟାହାର କରିବା ସହିତ ସେଠାରେ ଲଗାଇଥିବା ଟେଣ୍ଟଗୁଡିକୁ କାଢିବା ପ୍ରକ୍ରିୟା ଆରମ୍ଭ କରିଦେଇଛି । ଭାରତୀୟ ସେନା ମଧ୍ୟ ଏଲଏସିରୁ ପଛକୁ ହଟିଛି । ଉଭୟ ସେନା ପାଖାପାଖି ୧ କିଲୋମିଟର ଯାଏ ପଛକୁ ହଟିଥିବା ସୂଚନା ମିଳିଛି । ତେବେ ଡୋଭାଲ ଓ ଚୀନ ମନ୍ତ୍ରୀଙ୍କ ଆଲୋଚନା ପରେ ପୂର୍ବ ଲଦାଖରେ ଉତେଜନା କମିବାର ସମ୍ଭାବନା ସୃଷ୍ଟି ହୋଇଛି ।

ପୂର୍ବ ଲଦାଖ ସୀମାରେ ଭାରତର ପରାକ୍ରମ ଦେଖି ପଛକୁ ପାଦ ଫେରାଇବାକୁ ବାଧ୍ୟ ହୋଇଛି ଚୀନ ସେନା । ଗଲୱାନର ଯେଉଁ ବିବାଦୀୟ କ୍ଷେତ୍ରରେ ଭାରତକୁ ନାଲିଆଖି ଦେଖାଉଥିଲା ଡ୍ରାଗନ, ସେହିଠାରେ ନରମ ପଡିଛି । ମିଳିଥିବା ସୂଚନା ଅନୁସାରେ ଗଲୱାନ, ଗୋଗ୍ରାପୋଷ୍ଟ ଓ ହଟସ୍ପ୍ରିଙ୍ଗ ଅଂଚଳରୁ ପ୍ରାୟ ୧ କିଲୋମିଟର ପଛକୁ ଫେରିଛି ଚୀନର ପିପୁଲ୍ସ ଲିବରେସନ୍ ଆର୍ମି । ଦୀର୍ଘଦିନ ହେଲା ଅନ୍ତର୍ଜାତୀୟ ସୀମା ଚୁକ୍ତିକୁ ଉଲ୍ଲଂଘନ କରି ସେନା ଠୁଳ କରଆସୁଥିବା ସଇତାନ ଚୀନ ଶେଷରେ ବୁଦ୍ଧି ଶିଖିଛି । ଆଉ ଚୀନର ଏହି ପଦକ୍ଷେପ ଫଳରେ ପ୍ରକୃତ ନିୟନ୍ତ୍ରଣ ରେଖା- ଏଲଏସିରେ ଉତେଜନା କମିବାର ସଂକେତ ମିଳୁଛି ।

ଗଲୱାନ, ଗୋଗ୍ରାପୋଷ୍ଟ ଓ ହଟସ୍ପ୍ରିଙ୍ଗ ଅଂଚଳର ପଏଣ୍ଟ-୧୪, ୧୫ ଓ ୧୭-ଏରେ ଚୀନ ସେନା ପଛକୁ ହଟିବା ସହ ଟେଣ୍ଟ ଓ ଅସ୍ଥାୟୀ ନିର୍ମାଣକୁ ହଟାଇଥିବା ଜଣାପଡିଛି । ହେଲେ ଚାଲବାଜ ଚୀନର ଏହି ପଦକ୍ଷେପ ଉପରେ ସତର୍କ ନଜର ରଖିଛି ଭାରତୀୟ ସେନା । କାରଣ ଜୁନ୍ ୧୫/୧୬ ରାତିରେ ହିଂସାତ୍ମକ ଆକ୍ରମଣ ପରେ ଚୀନକୁ ସହଜରେ ବିଶ୍ୱାସ କରୁବାକୁ ଚାହୁଁନାହିଁ ଭାରତ ।  ଜୁନ୍ ୩୦ ତାରିଖରେ ଚୁସୁଲରେ ହୋଇଥିଲା ଦୁଇ ଦେଶର ସେନା ଅଧିକାରୀସ୍ତରୀୟ କଥାବାର୍ତା । ୧୪ କର୍ପ୍ସର କମାଣ୍ଡର ଏଲଜି ହରିନ୍ଦର ସିଂ ଓ ତାଙ୍କ ପ୍ରତିପକ୍ଷ ଦକ୍ଷିଣ ଜିନଜିଆଙ୍ଗ ପ୍ରାନ୍ତର ସେନାମୁଖ୍ୟ ମେଜର ଜେନେରାଲ ଲିଉ ଲି’ଙ୍କ ମଧ୍ୟରେ ଦୀର୍ଘ ୧୨ ଘଂଟା ଧରି ମାରାଥନ ଆଲୋଚନା ହୋଇଥିଲା । ସହମତି ହୋଇଥିଲା

ଭାରତ-ଚୀନ କଥାବାର୍ତ୍ତାରେ ସହମତି

– ଗଲୱାନ ଅଂଚଳରୁ ଦୁଇ ଦେଶ ସେନା ପ୍ରତ୍ୟାହାର କରିବେ

– ପର୍ଯ୍ୟାୟକ୍ରମେ ବିବାଦୀୟ କ୍ଷେତ୍ରରୁ ସେନା ପଛକୁ ହଟିବେ

– ଉଭୟ ପକ୍ଷ ଏଠାରେ ଏକ ବଫରଜୋନ୍ ଗଠନ କରିବେ

– ସେନା ଟେଣ୍ଟ ଓ ଅସ୍ଥାୟୀ ନିର୍ମାଣ ସହ ଯୁଦ୍ଧାସ୍ତ୍ର ହଟାଇବେ

ସୀମାରୁ ସେନା ପ୍ରତ୍ୟାହାର ସହମତି ଅନୁସାରେ ପର୍ଯ୍ୟାୟକ୍ରମେ ଚୀନ ସେନା ଗଲୱାନର ଅଢେଇରୁ ୩ କିଲୋମିଟର ପଛକୁ ଫେରିବ । ସେଠାରେ ମୁତୟନ କରିଥିବା ଯୁଦ୍ଧାସ୍ତ୍ର, ଅସ୍ଥାୟୀ ଟେଣ୍ଟ ଓ ଅବୈଧ ନିର୍ମାଣ ସବୁକୁ ହଟାଇବ । କାରଣ ପୂର୍ବ ଲଦାଖ ସୀମାକୁ ଲାଗି ଦୌଲତବେଗ ଓଲ୍ଡିରୁ ଡେପସାଙ୍ଗ ସେକ୍ଟର ମଧ୍ୟରେ ପ୍ରାୟ ୨୦ ହଜାର ସୈନିକ ମୁତୟନ କରିଛି ଚୀନ । ପିଏଲଏର ଫୋର୍ଥ ମୋଟୋରାଇଜଡ ଇନଫ୍ରାଣ୍ଟି ଡିଭିଜନ୍ ଓ ସିକ୍ସଥ ମେକାନାଇଜଡ ଇନଫାଣ୍ଟ୍ରି ଡିଭିଜନ ସହ ରିଜର୍ଭ ଫୋର୍ସକୁ ଭାରତ ସୀମାରେ ଜଗାଇଛି । ଜୁନ୍ ୧୫/୧୬ ହିଂସାତ୍ମକ ଆକ୍ରମଣ ପରେ ଭାରତ କିନ୍ତୁ ଏହି କ୍ଷେତ୍ରରେ ତାର ସୈନ୍ୟ ମୁତୟନକୁ ଢେର ବଢାଇ ଦେଇଛି ।