କନକ ବ୍ୟୁରୋ : କଳାହାଣ୍ଡି ମାଟିରେ ବିଦେଶୀ ଫଳ । ଏକ ଏକର ଜମିରେ ଲହଡ଼ି ଭାଙ୍ଗୁଛି ଡ୍ରାଗନ ଫ୍ରୁଟ୍ ଚାଷ । ସିମେଂଟ ଖୁଂଟ ସହାୟତାରେ ଗଛ ଗୁଡ଼ିକ ଲଟେଇ ରହିଥିବା ବେଳେ ପ୍ରଚୁର ପରିମାଣର ଫଳ ବି ଆସିଛି । ମାତ୍ର ୨୦ ଡିସିମିଲ ଜମିରୁ ଆରମ୍ଭ ହୋଇଥିବା ଏହି ଚାଷ ଏବେ ଏକ ଏକରରେ ପହଂଚିଲାଣି । ଆଉ ଏହି ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କଳାହାଣ୍ଡି ମଦନପୁର ରାମପୁର ବ୍ଲକ ବାଙ୍କେଲ ଗାଁର ବାପ-ପୁଅ ଗୌରାଙ୍ଗ ସାହୁ ଓ ବୈଷ୍ଣବ ସାହୁ । ପାରମ୍ପରିକ ଚାଷ ଛାଡ଼ି ନୂଆ ପ୍ରଣାଳୀରେ ଚାଷ କରି ନିଜ ଅଂଚଳରେ ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

Advertisment

ଇସ୍କନ୍ ଦିକ୍ଷା ଗ୍ରହଣ କରିଥିବା ଗୌରାଙ୍ଗ ସାହୁ ଏବଂ ତାଙ୍କ ପୁଅ ୪ ବର୍ଷ ତଳେ ଇସ୍କନ କାର୍ଯ୍ୟକ୍ରମରେ ଗୁଜୁରାଟ ଯାଇଥିଲେ । ଗୁଜୁରାଟରେ ଏହି ଚାଷ ବ୍ୟାପକ ଭାବେ ହେଉଥିବା ବେଳେ ଏଥିପ୍ରତି ଆକୃଷ୍ଟ ହୋଇଥିଲେ ଗୌରାଙ୍ଗ । ଏଥିପାଇଁ ସେ ଗୁଜୁରାଟରେ ୨ ବର୍ଷ ରହି ଏହି ଚାଷ ପଦ୍ଧତି ଶିଖିଥିଲେ । ପରେ ଘରକୁ ଫେରି ଘର ପଛପଟେ ଥିବା ୨୦ ଡିସିମିଲ ଜମିରେ ଏହି ଚାଷ ଆରମ୍ଭ କଲେ । ଆଉ ଏଥିରେ ସଫଳ ମଧ୍ୟ ହେଲେ । କିଲୋ ପ୍ରତି ୨୫୦ରୁ ୩୦୦ ଟଙ୍କାରେ ଏହି ଫଳ ବିକ୍ରି କରି ଲାଭବାନ ହେଉଛନ୍ତି ଗୌରାଙ୍ଗ । ତେବେ ତାଙ୍କ ଠାରୁ ପ୍ରେରଣା ପାଇ ନୂଆପଡ଼ା, ମୟୂରଭଞ୍ଜ ଭଳି ଜିଲ୍ଲାରୁ ଚାଷୀ ଆସି ଏଠାରେ ପ୍ରଶିକ୍ଷଣ ନେଇ ଚାଷ ଆରମ୍ଭ କରିଛନ୍ତି । ଯାହା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ସେ କୁହନ୍ତି ।

ଡ୍ରାଗନ ଫ୍ରୁଟ୍ ଏକ ଟ୍ରପିକାଲ ଫଳ । ଏଥିରେ କ୍ୟାଲୋରି କମ୍ ଥିବା ବେଳେ ଫାଇବର ଏବଂ ଆଂଟି ଅକ୍ସିଡାଂଟ ଭରପୁର ମାତ୍ରାରେ ଅଧିକ ରହିଥାଏ । କ୍ୱିବି ଫ୍ରୁଟ ଭଳି ସ୍ୱାଦ ଥିବା ଏହି ଫଳର ବଜାରରେ ବି ବେଶ ଚାହିଦା ରହିଛି ।