କନକ ବ୍ୟୁରୋ : ଡ଼୍ରାଗନ ଫ୍ରୁଟସ ଏହି ଚାଷ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ଚିଲିକା ମାଟିରେ ଡ୍ରାଗନ ଫ୍ରୁଟର ଏଭଳି ଚାଷ ଆଖପାଖ ଲୋକଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ଖୁସି ବି ଦେଇଛି । ଆମେରିକା ଓ ଇଜ୍ରାଇଲ ଭଳି ଦେଶର ପାଣିପାଗରେ ବେଶ ଭଲ ଭାବରେ ହେଉଥିବା ଡ଼୍ରାଗନ ଫ୍ରୁଟ ଏବେ ଓଡ଼ିଶାରେ ବି ବେଶ ଭଲ ଭାବରେ ଫଳିଥିବା ଦେଖିବାକୁ ମିଳିଛି । କ୍ୱିବି ଫ୍ରୁଟ ଭଳି ସ୍ୱାଦ ଥିବା ଏହି ଫଳର ବଜାରରେ ବି ବେଶ ଚାହିଦା ବଢିଛି । ଆଉ ଚିଲିକା ମାଟିରେ ଏଭଳି ଫଳ ବେଶ ଭଲ ଭାବରେ ଫଳିବା ଚାଷୀଙ୍କ ପାଇଁ ଏବେ ପ୍ରେରଣା ପାଲଟିଛି । ସ୍ଥାନୀୟ ଚାଷୀଙ୍କ ଠାରୁ କିଛି ଜମି ଲିଜରେ ନେଇ ଡ୍ରାଗନ ଫ୍ରୁଟ୍ ଚାଷ କରିଛନ୍ତି କୃଷ୍ଣପ୍ରସାଦ ବ୍ଲକ ଓରା ଗାଁର ଯୁବଚାଷୀ ବିଶ୍ୱ ରଂଜନ ନାୟକ ।

Advertisment

ବାହାର ରାଜ୍ୟରେ ରହି ଏକ ଘରୋଇ କମ୍ପାନୀରେ ମ୍ୟାନେଜର ଭାବେ କାମ କରୁଥିଲେ ବିଶ୍ୱରଞ୍ଜନ । ଯାହା ତାଙ୍କୁ ଆତ୍ମସନ୍ତୋଷ ଦେଇନଥିଲା । ନିଜସ୍ୱ ଉଦ୍ୟମରେ ଜନ୍ମମାଟିରେ ରହି ଏଭଳି କିଛି ଚାଷ କରିବା ପାଇଁ ସେ ନିଷ୍ପତି ନେଇଥିଲେ । ଏହି ଚାଷରେ ଏବେ ସେ ସଫଳ ହୋଇଛି । ବର୍ଷକ ତଳେ ହାଇଦ୍ରାବଦରୁ ଡ୍ରାଗନ ଫ୍ରୁଟ୍ ଚାରା ମଗାଇ ୧ ଏକର ଜମିରେ ଲାଗିଥିବା ଗଛରେ ଫୁଲ ଫଳ ଭର୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ଅମଳ ହୋଇଥିବା ଫଳ ବ୍ରହ୍ମପୁର, ପୁରୀ, ଭୁବନେଶ୍ୱରରେ ବିକ୍ରି କରି କିଛି ରୋଜଗାର କରିଛନ୍ତି । ଏହି ଚାଷରେ ସେ ପାଖପାଖି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଆଗକୁ ଭଲ ରୋଜଗାର ହେବ ବୋଲି ସେ ଆଶା ରଖିଛନ୍ତି । ଏହି କାମରେ ତାଙ୍କ ଭାଇ ରଶ୍ମୀ ରଞ୍ଜନ ଖୁଣ୍ଟିଆ ତାଙ୍କୁ ସହଯୋଗ କରୁଛନ୍ତି । ବିନା ସାରରେ ହୋଇଥିବା ଚାଷ ଏବେ ବେଶ ଭଲ ହୋଇଛି । ଯାହାକୁ ନେଇ ସେ ଖୁସି ପ୍ରକାଶ କରିଛନ୍ତି ।

ରାତି ପାହିଲେ ତାଙ୍କ ଚାଷ ଜମିରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଛି । ସ୍ଥାନୀୟ ଅଂଚଳରେ ଏହି ଫଳ ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବା ବେଳେ ତାଙ୍କ ଠାରୁ ବୁଝି ନେଉଛନ୍ତି । ଚାଷ ବିଷୟରେ ମଧ୍ୟ ପଚାରି ବୁଝୁଛନ୍ତି । ଏହି ଫଳ ସହିତ ଲୋକେ କମ୍ ପରିଚିତ ହୋଇଥିବାରୁ ସ୍ଥାନୀୟ ବଜାରରେ ବିକ୍ରିବଟା ସମସ୍ୟା ସୃଷ୍ଟି ହେଉଥିବା ସେ କହିଛନ୍ତି ।