ଚୀନର ବଡ କଳା କାରନାମାର ବଡ ଖୁଲାସା । ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ସମେତ ୧୦ ହଜାରରୁ ଅଧିକ ଲୋକଙ୍କ ଉପରେ ନଜର ରଖିଛି ଡ୍ରାଗନ କମ୍ପାନୀ : ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଲା ଖବର

363

କନକ ବ୍ୟୁରୋ : ଚୀନର ଏକ ବଡ କଳା କାରନାମାର ହୋଇଛି ଖୁଲାସା । ଚୀନ, ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ସମେତ ୧୦ ହଜାରରୁ ଅଧିକ ଭାରତୀୟଙ୍କ ପଛରେ ଗୁପ୍ତଚର କରୁଛି । ଇଂରାଜୀ ଖବର କାଗଜ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଭାରତର ବରିଷ୍ଠ ସାମ୍ବିଧାନିକ ପଦପଦବୀରେ ଥିବା ରାଜନେତା, ସାମରିକ ପଦବୀରେ ଥିବା ଅଧିକାରୀଙ୍କ ଚୀନ ଜାସୁସୀ କରୁଛି । ରିପୋର୍ଟ ଅନୁସାରେ ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୫ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ରହିଛନ୍ତି ।

ସେହିପରି କଂଗ୍ରେସର ମଧ୍ୟବର୍ତୀକାଳିନ ଅଧ୍ୟକ୍ଷା ସୋନିଆ ଗାନ୍ଧି ସମେତ ବିଭିନ୍ନ ରାଜ୍ୟର ବର୍ତମାନ ଓ ପୂର୍ବତନ ୪୦ରୁ ଅଧିକ ମୁଖ୍ୟମନ୍ତ୍ରୀଙ୍କ ନାଁ ବି ରହିଛି । ସେହିପରି ୩୫୦ ଜଣ ସାଂସଦଙ୍କ ନାଁ ବି ରହିଛି । ଏପରିକି ଏହି ତାଲିକାରେ ବହୁ ବରିଷ୍ଠ ଆଇନ ନିର୍ମାଣକାରୀ, ବିଧାୟକ, ମେୟର, ସରପଂଚ ଓ ସେନା ସହ ସଂପର୍କିତ ୧୩୫୦ ଜଣ ବ୍ୟକ୍ତି ରହିଛନ୍ତି । ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସିଡିଏସ ବିପିନ ରାବତ, ପ୍ରଧାନ ବିଚାରପତି ଏସଏ ବୋବଡେ, ଦେଶର ବର୍ତମାନର ୨୪ ଜଣ ମୁଖ୍ୟମନ୍ତ୍ରୀ, ୧୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଟାକରେ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ସମେତ ୩୫୦ ଜଣ ସାଂସଦ ଓ ୭୦ ଜଣ ମେୟରଙ୍କୁ ଗୁପ୍ତଚର କରୁଛି ଚୀନ ।

ଏହି ରିପୋର୍ଟ ଅନୁସାରେ ଚୀନର କମ୍ପାନୀ ଶେନଝୋନ୍ ଇନଫୋଟେକ୍, ଝେଂହୁଓ ଇନଫୋଟେକ୍ ଏହି ଜାସୁସୀ କରୁଛନ୍ତି । ଏହି କମ୍ପାନୀ ଚୀନର କମ୍ୟୁନିଷ୍ଟ ପାର୍ଟି ପାଇଁ ଏହି ଗୁପ୍ତଚର କାମ କରୁଥିବା କୁହାଯାଉଛି । ଏହି କମ୍ପାନୀଙ୍କ କାମ ହେଉଛି ଅନ୍ୟ ଦେଶ ଉପରେ ନଜର ରଖିବା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଏହି ରିପୋର୍ଟ ଆଧାରରେ ଚୀନର ଏଭଳି କାମକୁ କଡା ସମାଲୋଚନା କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।