କନକ ବ୍ୟୁରୋ : ଆପଣ ଭାବନ୍ତୁ ତ ଆପଣ ବିମାନରେ ଯାତ୍ରା କରୁଥିବେ । ମଝି ଆକାଶରେ ଆପଣଙ୍କ ଦେହ ଅସୁସ୍ଥ ହୋଇପଡିବ ଓ ଜଣେ ରାଜ୍ୟପାଳ ଆପଣଙ୍କୁ ଚିକିତ୍ସା କରି ସୁସ୍ଥ କରିଦେବେ । ହଁ ଅଜ୍ଞା ଏଭଳି କିଛି ଘଟଣା ଘଟିଛି ଇଣ୍ଡିଗୋ ଫ୍ଲାଇଟରେ । ବିମାନଟି ଯାତ୍ରୀଙ୍କୁ ଧରି ଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲା । ହେଲେ ମଝି ଆକାଶରେ ଏୟାର ହୋଷ୍ଟେସ ଜଣାଇଲେ କି ଜଣେ ଯାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ନିହାତି ଚିକିତ୍ସାର ଆବଶ୍ୟକତା ରହିଛି । ଏଭଳି ସ୍ଥଳେ କେବଳ ଗୋଟିଏ ରାସ୍ତା ଥାଏ କି ବିମାନକୁ ଜରୁରୀ ଅବତରଣ କରାଇ ଅସୁସ୍ଥ ଯାତ୍ରୀଙ୍କୁ ସ୍ଥାନୀୟ ମେଡିକାଲକୁ ନେବା । ହେଲେ ଅଚାନକ ବିମାନରେ ଥିବା ତେଲେଙ୍ଗାନା ରାଜ୍ୟପାଳ ସାମ୍ନାକୁ ଆସିଲେ ଓ ସେ ଅସୁସ୍ଥ ବ୍ୟକ୍ତିଙ୍କୁ ଚିକିତ୍ସା କରିବାର ପ୍ରତିଶ୍ରୁତି ଦେଲେ । ଏହାପରେ ହାତରେ ଷ୍ଟେଥୋସ୍କୋପ ଧରି ଚିକିତ୍ସା ଆରମ୍ଭ କରିଦେଇଥିଲେ । ବିମାନରେ ଥିବା କିଛି ଜରୁରୀ ଔଷଧ ଦେଇ ସେ ଯାତ୍ରୀଙ୍କୁ ସୁସ୍ଥ କରିଥିଲେ । କୁହାଯାଉଛି କି ଯାତ୍ରୀ ଜଣଙ୍କ ଗ୍ୟାସ ଜନିତ ସମସ୍ୟା ଯୋଗୁଁ ଅସୁସ୍ଥ ହୋଇପଡିଥିଲେ ।

Advertisment

ଏହାପରେ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ଇଣ୍ଡିଗୋ ବିମାନରେ ଥିବା କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ କି ବିମାନରେ ଜରୁରୀ ଚିକିତ୍ସା ପାଇଁ ସମସ୍ତ ସୁବିଧା ରଖାଯାଉ । ବିମାନ ଉଡାଣ ପୂର୍ବରୁ ଚିକିତ୍ସା ସାମଗ୍ରୀକୁ ଠିକ୍ ଭାବେ ପରଖି ସୁରକ୍ଷିତ ସ୍ଥାନରେ ରଖିବା ନିହାତି ଆବଶ୍ୟକ ।

କହିରଖୁ କି ତାମିଲସାଇ ସୁନ୍ଦରରାଜନ ରାଜ୍ୟପାଳ ହେବା ପୂର୍ବରୁ ଜଣେ ଡାକ୍ତର ଥିଲେ । ସେ ଏମବିବିଏସ ପରେ ସ୍ତ୍ରୀ ରୋଗ ବିଭାଗରେ ପିଜି କରିଛନ୍ତି । ସେ ଡାକ୍ତର ଭାବେ ପ୍ରାକ୍ଟିସ କରୁଥିବା ବେଳେ ହଠାତ ରାଜନୀତିରେ ପ୍ରବେଶ କରିଥିଲେ ।