କନକ ବ୍ୟୁରୋ: କେରଳ ୱାୟନାଡ଼ ଭୂସ୍ଖଳନରେ ନିଖୋଜ ଓଡ଼ିଆ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ଏଯାଏଁ ପତ୍ତା ମିଳିନାହିଁ । ସ୍ୱାଧୀନଙ୍କ ଘର ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ । ଗତ ୨୬ ତାରିଖ ଡାକ୍ତର ସ୍ୱାଧୀନ ତାଙ୍କ ବନ୍ଧୁଙ୍କ ସହ ବାଙ୍ଗାଲୋର ଯାଇଥିଲେ। ୨୭ ତାରିଖରେ ଜନ୍ମ ଦିନ ଥିବାରୁ ବାଙ୍ଗାଲୋରରେ ଅନ୍ୟବନ୍ଧୁଙ୍କ ସହ ଜନ୍ମଦିନ ପାଳନ କରିଥିଲେ । ପରଦିନ କେରଳର ୱାୟନାଡ଼ ବୁଲିବାକୁ ଯାଇଥିଲେ। ୱାଇନାଡ଼ରେ ପହଞ୍ଚିବା ପରେ ସେଠାରେ ଏକ ହୋଟେଲରେ ରହିଥିଲେ। ସେହି ରାତିରେ ୱାୟନାଡ଼ରେ ଘଟିଥିଲା ଭୟଙ୍କର ଭୂସ୍ଖଳନ ।
ସ୍ୱାଧୀନଙ୍କ ସହିତ ଯାଇଥିବା ତାଙ୍କ ବନ୍ଧୁ ସ୍ଵୀକୃତି ମହାପାତ୍ର, ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନାରା ଏବଂ ତାଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ପାଲ ଭାସି ଯାଇଥିଲେ । ହେଲେ ସ୍ୱୀକୃତି ଓ ଡାକ୍ତର ଚିନାରାଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ଡାକ୍ତର ଚିନ୍ନାରାଙ୍କ ମୃତ ଦେହ ମିଳିଛି । ଉଦ୍ଧାର ହୋଇଥିବା ଦୁଇ ଜଣ ସ୍ୱୀକୃତି ଓ ପ୍ରିୟଦର୍ଶିନୀ ଚିକିତ୍ସିତ ଥିବା ବେଳେ ସ୍ୱାଧୀନଙ୍କ ପତ୍ତା ମିଳିପାରିନି। ଯାହାକୁ ନେଇ ସ୍ୱାଧୀନ ପରିବାର ଚିନ୍ତାରେ ପଡ଼ିଛନ୍ତି ।
ସ୍ୱାଧୀନଙ୍କ ଭଉଣୀ କେରଳରେ ପହଞ୍ଚି ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିବା ଗୁରୁତର ଏବଂ ଶବ ସଂରକ୍ଷିତ ସ୍ଥାନରେ ଖୋଜା ଖୋଜି କରିଛନ୍ତି । ହେଲେ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ ।