ପାର୍ବଣର ମାହୌଲ ଉପରେ କୋଭିଡ କଟକଣା । ବିବାଦରେ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା । ଦ୍ୱନ୍ଦ୍ୱରେ ଟ୍ୱିନସିଟିର ପୂଜା କମିଟି

174

କନକ ବ୍ୟୁରୋ: ପାର୍ବଣର ମାହୌଲ ଉପରେ କୋଭିଡ କଟକଣା । ମୂର୍ତିର ଉଚ୍ଚତାକୁ ନେଇ ଚାଲିଥିବା ବିବାଦର  ଅନ୍ତ ହେଉ ନାହିଁ । ସରକାରଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟ ଯାଇଥିଲେ ପୂଜା କମିଟି । ହେଲେ ଖଣ୍ଡପୀଠ ଆବେଦନର ଶୁଣାଣି କରି ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ପୂଜା କମିଟିକୁ ପରାମର୍ଶ ଦେଇଛନ୍ତି ।

କୋଭିଡ୍ ସମୟରେ ହେବାକୁ ଥିବା ସମସ୍ତ ସାର୍ବଜନୀନ ପୂଜାରେ ମୂର୍ତିର ଉଚ୍ଚତା ୪ ଫୁଟ୍ ମଧ୍ୟରେ ରହିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଖାଯାଇଥିବା ବିବାଦର ଅନ୍ତ ହେଉ ନାହିଁ । ସରକାରଙ୍କ ନିଷ୍ପତିକୁ ବିରୋଧ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପୂଜା କମିଟି । କିନ୍ତୁ ହାଇକୋର୍ଟ ସରକାରଙ୍କ ନିଷ୍ପତିକୁ ମାନିବା ସହ ଅଧିକ ଉଚ୍ଚ ମୂର୍ତି କରିଥିବା ପୂଜା କମିଟି ଡିସିପିଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଅନିଚ୍ଛା ସତ୍ୱେ ସରକାରଙ୍କ ନିୟମ ମାନିବାକୁ ରାଜି ହୋଇଛନ୍ତି କିଛି ଦୁର୍ଗାପୂଜା କମିଟି ।

ସରକାରଙ୍କ ନିଷ୍ପତି ନେଇ ରାଜଧାନୀ ଭୁବନେଶ୍ୱରର ପୂଜା କମିଟି ଭିତରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳୁଛି । ମୂର୍ତିର ଉଚ୍ଚତା ଅତିକମ୍ରେ ୮ ଫୁଟ ଓ ସାଉଣ୍ଡ୍ ସିଷ୍ଟମ ଲଗାଇବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ଏଭଳି କଟକଣାରେ ନୂଆ ମୂର୍ତି କରିବା ଅପେକ୍ଷା ମଣ୍ଡପରେ ସ୍ଥାପିତ ମୂର୍ତିକୁ ପୂଜା କରିବାକୁ ନିଷ୍ପତି ନେଇଛି ଶହୀଦ ନଗର ପୂଜା କମିଟି ।

ସେପଟେ ସରକାରଙ୍କ ନିଷ୍ପତିକୁ କଡାକଡି ଭାବେ ଲାଗୁ କରାଯିବ ବୋଲି ପୁଲିସ କମିଶନର ସ୍ପଷ୍ଟ ଭାବେ ସୂଚନା ଦେଇଛନ୍ତି । ତେବେ ଦୁର୍ଗାପୂଜାକୁ ଅଳ୍ପ ଦିନ ବାକି ରହିଥିବା ବେଳେ ଆଗକୁ ଏହି ବିବାଦ କେଉଁ ରୂପ ନେବ, ତାହା ଉପରେ ସମସ୍ତଙ୍କ ନଜର ।